ବେଙ୍ଗାଲୁରୁ: କନ୍ନଡ ଅଭିନେତ୍ରୀ ରାନ୍ୟା ରାଓଙ୍କୁ ବେଙ୍ଗାଲୁରୁ ବିମାନବନ୍ଦରରେ ଗିରଫ କରାଯାଇଛି । ସୁନା ଚାଲାଣ ଅଭିଯୋଗରେ ତାଙ୍କୁ ଗିରଫ କରିଛି ରାଜସ୍ବ ଗୋଇନ୍ଦା ନିର୍ଦ୍ଦେଶାଳୟ । ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ତଲାସି ସମୟରେ ତାଙ୍କ ନିକଟରୁ ୧୪.୮ କିଲୋ ସୁନା ଜବତ ହୋଇଥିଲା ।
ଅଭିନେତ୍ରୀ ରାଓଙ୍କୁ ଗିରଫ କରାଯିବା ପରେ, ତାଙ୍କୁ ଅର୍ଥନୈତିକ ଅପରାଧ କୋର୍ଟରେ ହାଜର କରାଯାଇଥିଲା ।
ଯେଉଁଠାରୁ ରାଓଙ୍କୁ ୧୪ ଦିନିଆ ନ୍ୟାୟିକ ହାଜତକୁ ପଠାଯାଇଛି । ପୋଲିସ ବର୍ତ୍ତମାନ ସମ୍ପୂର୍ଣ୍ଣ ମାମଲାର ତଦନ୍ତ କରୁଛି ।ମାମଲାର ତଦନ୍ତ କରୁଥିବା ଅଧିକାରୀଙ୍କ ଅନୁଯାୟୀ, ରାନ୍ୟା ରାଓ ଦୁବାଇରୁ ଏମିରେଟ୍ସ ବିମାନରେ ଆସିଥିଲେ ଏବଂ ତାଙ୍କର ବାରମ୍ବାର ଦୁବାଇ ଗସ୍ତ ଯାତ୍ରା ଯୋଗୁଁ ତାଙ୍କ ଉପରେ ନଜର ରଖାଯାଇଥିଲା । ଅଭିନେତ୍ରୀ ଜଣକ ୧୫ ଦିନ ମଧ୍ୟରେ ଚାରିଥର ଦୁବାଇ ଯାଇଥିଲେ । ଯେତେବେଳେ ପୋଲିସ ରାଓଙ୍କ ଉପରେ ସନ୍ଦେହ କଲା, ତାଙ୍କୁ ତଦନ୍ତ କରାଯାଇଥିଲା ଏବଂ ଏହି ତଦନ୍ତ ସମୟରେ ତାଙ୍କଠାରୁ ୧୪.୮ କିଲୋଗ୍ରାମ ସୁନା ମିଳିଥିଲା । ପୋଲିସର ସୂଚନା ଅନୁଯାୟୀ, ରାଓ ସୁନା ଚୋରା ଚାଲାଣ କରୁଥିଲେ।ରାନ୍ୟା ରାଓ ୨୦୧୪ ମସିହାରେ ରିଲିଜ ହୋଇଥିବା ଫିଲ୍ମ ‘ମାଣିକ୍ୟ’ ପାଇଁ ବେଶ ଚର୍ଚ୍ଚାରେ ରହିଥିଲେ । ଏହି ଫିଲ୍ମରେ ସେ କନ୍ନଡ ସୁପରଷ୍ଟାର ସୁଦୀପଙ୍କ ସହ ନଜର ଆସିଥିଲେ । ଆପଣଙ୍କୁ କହି ରଖୁଛୁ ଯେ ଅଭିନେତ୍ରୀ ରାନ୍ୟା ରାଓଙ୍କ ବାପା ଜଣେ ଆଇପିଏସ ଅଧିକାରୀ ରାମଚନ୍ଦ୍ର ରାଓ କର୍ଣ୍ଣାଟକ ରାଜ୍ୟ ପୋଲିସ ହାଉସିଂ କର୍ପୋରେସନରେ ଡିଜିପି ଭାବରେ କାର୍ଯ୍ୟରତ ।