ଭୂବନେଶ୍ବର: ରାଜଧାନୀର ନୂଆ ଡିସିପି ଭାବେ ଦାୟିତ୍ବ ନେଲେ ଜଗମୋହନ ମୀନା । ଆଜି କଟକ ଛାଡ଼ି ଭୁବନେଶ୍ବର ଡିସିପି ଭାବେ ବିଧିବଦ୍ଧ ଭାବେ ଦାୟିତ୍ବ ନେଇଛନ୍ତି ଡିସିପି ମୀନା । ଦାୟିତ୍ବ ନେବା ପରେ ନିଜର ଅଭିଭାଷଣରେ ମୀନା କହିଛନ୍ତି, ଅପରାଧ ତଦନ୍ତ, ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ ଗୁରୁତ୍ବ ଦିଆଯିବ । ସାଧାରଣ ଲୋକଙ୍କ ପ୍ରତି ଯତ୍ନବାନ ହେବୁ ।
ଏଥିସହିତ ସିସିଟିଭି ସର୍ଭିଲାନ୍ସ ବଢ଼ାଯିବ, ସାଇବର ଥାନାଗୁଡିକୁ ସୁଦୃଢ଼ କରାଯିବ । ନବ ନିଯୁକ୍ତ କନଷ୍ଟେବଳଙ୍କୁ ବ୍ୟବହାର କରି ସିସିଟିଏନଏସ୍କୁ ସୁଦୃଢ଼ କରାଯିବ ବୋଲି ମତ ରଖିଛନ୍ତି ନୂଆ ଡିସିପି ।ତେବେ ୨୦୧୨ର ଆଇପିଏସ୍ ଜଗନମୋହନ ମୀନା, ପ୍ରଥମେ ୨୦୧୩ରେ କଳାହାଣ୍ଡି ଜିଲ୍ଲାରେ ଏସ୍ଡିପିଓ ଭାବେ ନିଯୁକ୍ତି ପାଇଥିଲେ । ଏହାପରେ ୨୦୧୭ ମସିହାରେ ଏସ୍ପି ଭାବେ ପ୍ରଥମେ ମାଲ୍କାନଗିରିରେ ଯୋଗଦେଇଥିଲେ । ସେଠାରେ ଦୁଇବର୍ଷ କାର୍ଯ୍ୟ କରିବା ପରେ ୨୦୧୯ ମସିହାରେ ଅନୁଗୁଳ ଜିଲ୍ଲା ଏସ୍ପି ଭାବେ ଯୋଗଦେଇଥିଲେ । ୨୦୨୩ରେ ସେ ଗଞ୍ଜାମ ଏସ୍ପି ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ସେଠାରେ ସେ ବର୍ଷେ ୯ମାସ କାର୍ଯ୍ୟ କରିବା ପରେ ଗତ ସେପ୍ଟେମ୍ବରରେ କଟକ ଡିସିପି ଭାବେ ଦାୟିତ୍ବ ନେଇଥିଲେ । ଏହି ନିକଟରେ ରାଜ୍ୟ ସରକାର ଆଇପିଏସ ସ୍ତରରେ ବଡଧରଣର ଅଦଳବଦଳ କରିବା ପରେ ଏବେ ସେ ଭୁବନେଶ୍ବର ଡିସିପି ଭାବରେ ନିଯୁକ୍ତ ହୋଇଛନ୍ତି ।ବର୍ତ୍ତମାନ ରାଜଧାନୀର ଆଇନଶୃଙ୍ଖଳା ଠାରୁ ଆରମ୍ଭ କରି ଟ୍ରାଫିକ୍ ସମସ୍ୟା, ନିଶା କାରବାର, ଅପରାଧ ନିୟନ୍ତ୍ରଣ, ଭିଭିଆଇପି ସୁରକ୍ଷା ଆଦି ପ୍ରସଙ୍ଗ ବଡ଼ ଆହ୍ବାନ ରହିଥିବା ବେଳେ ଏହାକୁ କିପରି ଡିସିପି ମୀନା ସାମ୍ନା କରିବେ ତାହା ଉପରେ ସମସ୍ତଙ୍କ ନଜର । ଏଥିସହିତ ରାଜଧାନୀରେ ଭିଭିଆଇପି ସୁରକ୍ଷା ଓ ବିଭିନ୍ନ ରାଜନୈତିକ ଦଳର ବିକ୍ଷୋଭ ଆଦିକୁ ସମ୍ଭାଳିବା ମଧ୍ୟ ନୂଆ ଡିସିପିଙ୍କ ପାଇଁ ବଡ ଚ୍ୟାଲେଞ୍ଜ୍ ସୃଷ୍ଟି କରିବ ।