*ବେଆଇନ କାରବାରରେ ଲିପ୍ତ ଠିକାଦାରଙ୍କ ଘରେ ସିବିଆଇ ଚଢ଼ାଉ*
ବରଗଡ:୫/୩(ପବିତ୍ର ମେହେର ) ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ପରମାଣପୁର ଗ୍ରାମରେ ରହୁଥିବା ଜି. ସତ୍ୟନାରାୟଣଙ୍କ ଘରେ ବୁଧବାର ସିବିଆଇ ଚଢାଉ କରିଛି। ଜି.ସତ୍ୟନାରାୟଣଙ୍କ ବେଆଇନ ଟଙ୍କା କାରବାରରେ ଲିପ୍ତ ଥିବାର ଅଭିଯୋଗକୁ ଭିତ୍ତି କରି ସିବିଆଇ ଅନୁସନ୍ଧାନ କରୁଛି। ବିଶ୍ଵସ୍ତ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଜି ସତ୍ୟନାରାୟଣ ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗର ଜଣେ ଠିକାଦାର ଅଟନ୍ତି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ଗୋଦାମ ଗୃହ ଗୁଡ଼ିକୁ ନିର୍ମାଣ କରିବା ପାଇଁ ବହୁ ଦିନରୁ ସେ ଠିକା ନେଇ ଆସୁଛନ୍ତି ।ବିଭିନ୍ନ ସରକାରୀ ଅଧିକାରୀଙ୍କ ସହ ତାଙ୍କର ବେଆଇନ କାରବାର ସମ୍ପର୍କରେ ସୂଚନା ପାଇ ବର୍ତ୍ତମାନ ସିବିଆଇ ତଦନ୍ତ କରୁଥିବାର ଜଣାପଡିଛି। ଜି ସତ୍ୟନାରାୟଣ ଙ୍କ ପୁଅ ଜି. ଉମା ମହେଶଙ୍କୁ ସିବିଆଇର ଏକ ଟିମ ଉଠାଇ ନେଇ ଅନୁସନ୍ଧାନ ଜାରି ରଖିଥିବାବେଳେ ଆଉ ଏକ ଟିମ ଜି ସତ୍ୟନାରାୟଣ ଙ୍କ ଘରେ ଚଢ଼ାଉ କରିଛି।ଅନ୍ୟପକ୍ଷରେ ସିବିଆଇ ଟିମ୍ ଜି ସତ୍ୟନାରାୟଣଙ୍କ ଅତାବିରା ଶାନ୍ତିପଡାସ୍ଥିତ କାକା ଜି. ନରସିଂହ ମୂର୍ତ୍ତିଙ୍କ ଘରେ ମଧ୍ୟ ଚଢାଉ କରିଥିଲେ।ଚଢାଉ ବେଳେ ଜି. ନରସିଂହ ମୂର୍ତ୍ତିଙ୍କଅନୁପସ୍ଥିତ ଥିଲେ।ସିବିଆଇ ତାଙ୍କ ଏକ ଘରକୁ ସିଲ୍ କରିଥିବାର ସୂଚନା ମିଳିଛି।ଦିନକ ମଧ୍ୟରେ କାକା-ପୁତୁରାଙ୍କ ଘରେ ସିବିଆଇର ତଦନ୍ତକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଉଭୟେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ରହୁଥିବା ଯୋଗୁଁ ଏଥିରେ ରାଜନୈତିକ ଲିଙ୍କ୍ ମଧ୍ୟ ଥାଇପାରେ ବୋଲି ସାଧାରଣରେ ଆଲୋଚନା ଚାଲିଛି। ତେବେ ଚଢାଉ ସରିବା ପରେ ବାସ୍ତବତା ପଦାକୁ ଆସିବ। ତଦନ୍ତର କାରଣ ସ୍ପଷ୍ଟ ଜଣାପଡି ନ ଥିବାବେଳେ ଜାଣିବା ପାଇଁ ସମସ୍ତଙ୍କ ନଜର ରହିଛି।