ମାଲକାନଗିରି: ସୁରକ୍ଷାକର୍ମୀଙ୍କ ଲଗାତାର ମାଓ ଅପରେସନ କାରଣରୁ ଚଳିତ ବର୍ଷ ତେଲେଙ୍ଗାନା ପୋଲିସ ନିକଟରେ ୧୨୨ ଜଣ ମାଓବାଦୀ ଆତ୍ମସମର୍ପଣ କରିସାରିଲେଣି । ରବିବାର ମଧ୍ୟ ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନାର ଭଦ୍ରାଦୀ କଥାଗୁଡୁମ ଜିଲ୍ଲା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ୬୪ ଜଣ ମାଓବାଦୀ ।
ଏମାନଙ୍କ ମଧ୍ୟରୁ ୧୬ ମହିଳା ଥିବା ବେଳେ ୪୮ ପୁରୁଷ ରହିଛନ୍ତି ।
ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଆଇଜି ଚନ୍ଦ୍ରଶେଖର ରେଡ୍ଡୀ, ଏସପି ରୋହିତ ରାଜ ଏବଂ ସିଆରପିଏଫ ବାଟାଲିୟନର ଅଧିକାରୀଙ୍କ ସମ୍ମୁଖରେ ଏହି ନକ୍ସଲମାନେ ଆତ୍ମସମର୍ପଣ କରିଛନ୍ତି ।ସୁକ୍ମା ଓ ବିଜାପୁରରେ ଏହି ମାଓବାଦୀମାନେ ଦଳ ସଭ୍ୟଭାବେ କାର୍ଯ୍ୟକରି ଆସୁଥିଲେ । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରୁ ଡିଭିସିଏମ ଜଣେ,ଏସିଏମ ୩ ଜଣ,ପାର୍ଟି ମେମ୍ବର ୧୪ ଜଣ,ପିସିସିଏମ ଦୁଇ ଜଣ ଏବଂ ମିସିଲିଆ ସଦସ୍ୟ ୪୪ ଜଣ ବୋଲି ଜଣାପଡିଛି ।ମାଓ ସଂଗଠନରେ ବଡ ବଡ ନେତାଙ୍କ ଅତ୍ୟାଚାର ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ନିରୀହ ଆଦିବାସୀଙ୍କୁ ହତ୍ୟା କରୁଛନ୍ତି । ତେଣୁ ଏଥିରେ ନିଜ ଜୀବନ ପ୍ରତି ବିପଦ ଥିବା ଓ ବର୍ତ୍ତମାନ ଛତିଶଗଡରେ ପୋଲିସ ପ୍ରତି ସ୍ଥାନରେ କ୍ୟାମ୍ପ ପ୍ରତିଷ୍ଠା କରି ମାଓବାଦୀଙ୍କୁ ଗିରଫ ଓ ମାରୁଛନ୍ତି ଯେଉଁ କାରଣୁ ବହୁ ସଂଖ୍ୟାରେ ମାଓବାଦୀମାନେ ଆତ୍ମସମର୍ପଣ କରୁଥିବା ସୂଚନା ରହିଛି ।