ଭୂବନେଶ୍ୱର: ଆଜିଠୁ ଆରମ୍ଭ ହୋଇଯାଇଛି ମାଟ୍ରିକ ପରୀକ୍ଷା ଖାତାଦେଖା । ସକାଳ ୯ଟାରୁ ଆରମ୍ଭ ହୋଇଥିବାବେଳେ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ ଖାତା ଦେଖା । ମାଟ୍ରିକ ପରୀକ୍ଷା ବ୍ୟତୀତ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଖାତା ମଧ୍ୟ ଏଠାରେ ଦେଖାଯିବ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।
ରାଜ୍ୟର ୫୧ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ହେବ । ୧୨ ଦିନ ଧରି ଚାଲିବ ଖାତାଦେଖା । ଛାତ୍ରଛାତ୍ରୀଙ୍କ ୫୦ ନମ୍ବର ବିଶିଷ୍ଟ ଲିଖିତ ପରୀକ୍ଷା ଉତ୍ତର ଖାତାର ମୂଲ୍ୟାୟନ ପାଇଁ ବ୍ୟବସ୍ଥା ରହିଛି ।ଖାତାଦେଖା ଲାଗି ପରୀକ୍ଷକମାନେ ମଙ୍ଗଳବାର ସୁଦ୍ଧା ମୂଲ୍ୟାୟନ କେନ୍ଦ୍ରରେ ପହଞ୍ଚି ସାରିଛନ୍ତି । ବିଭିନ୍ନ ଜିଲାରେ ଜିଲା ଶିକ୍ଷାଧିକାରୀ ମୂଲ୍ୟାୟନ ବ୍ୟବସ୍ଥାକୁ ପ୍ରତ୍ୟକ୍ଷ ଭାବେ ତଦାରଖ କରିଛନ୍ତି। ଖାତାଦେଖା ପ୍ରକ୍ରିୟାକୁ ସହଜ କରିବା ପାଇଁ କେତେକ ୟୁନିଟ୍ ଗଠନ କରାଯାଇଛି । ପ୍ରତି ୟୁନିଟ୍ରେ ଜଣେ ମୁଖ୍ୟ ପରୀକ୍ଷକ, ଦୁଇ ଜଣ ଉପପରୀକ୍ଷକ, ଦୁଇ ଜଣ ସ୍କ୍ରୁଟିନାଇଜର, ତଦାରଖ ନିମନ୍ତେ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ସୁପରଭାଇଜର ଭାବେ ନିୟୋଜିତ କରାଯାଇଛି । ବୋର୍ଡ ପକ୍ଷରୁ ଜଣେ କ୍ୟାମ୍ପ ଅଫିସର ମଧ୍ୟ ଦାୟିତ୍ୱରେ ରହିଛନ୍ତି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମୂଲ୍ୟାୟନକାରୀ ଓ କର୍ମଚାରୀଙ୍କ ନିମନ୍ତେ ସମସ୍ତ ବ୍ୟବସ୍ଥା କରାଯାଇଛି ।ଖାତା ମୂଲ୍ୟାୟନକୁ ତ୍ରୁଟିଶୂନ୍ୟ କରିବା ଲାଗି ବୋର୍ଡ କର୍ତ୍ତୃପକ୍ଷ ସୋମବାର ସମସ୍ତ ୩୦ଟି ଜିଲ୍ଲା ଶିକ୍ଷାଧିକାରୀମାନଙ୍କ ସହ ସମୀକ୍ଷା ବୈଠକ ହୋଇଥିଲା । ଖାତା ଦେଖାରେ ନିୟୋଜିତ ଶିକ୍ଷକ ଓ ଅନ୍ୟ କର୍ମଚାରୀମାନଙ୍କୁ ମଙ୍ଗଳବାର ମୂଲ୍ୟାୟନ କେନ୍ଦ୍ରରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫେବ୍ରୁଆରୀ ୨୧ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୬ ତାରିଖ ଯାଏଁ ଚାଲିଥିଲା । ମୋଟ ୫ ଲକ୍ଷ ୨୨ ହଜାର ୩୩୬ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିଲେ ।