
*ଅତାବିରା ଜଗନ୍ନାଥ ମନ୍ଦିରର ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ,* *(ଶ୍ରୀକ୍ଷେତ୍ରରୁ ଭକ୍ତଙ୍କ ପାଇଁ ପହଞ୍ଚିଲା ଅବଢ଼ା)* :: ବରଗଡ଼ (ପବିତ୍ର ମେହେର) ::ଏକତା, ସମାନତା ଓ ବିଶ୍ୱ ଭାତୃତ୍ବ ଜଗନ୍ନାଥ ସଂସ୍କୃତିର ମୂଳ ଲକ୍ଷ୍ୟ । ଏହି ସଂସ୍କୃତି ସାର୍ବଜନୀନତାକୁ ପ୍ରତିପାଦିତ କରେ। ଏହାର ବାସ୍ତବତା ଦେଖିବାକୁ ମିଳିଥିଲା ଅତାବିରା ଜଗନ୍ନାଥ ମନ୍ଦିରର ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବରେ । ଜାତି , ଧର୍ମ ,ବର୍ଣ୍ଣ ,ନିର୍ବିଶେଷରେ ସମସ୍ତେ ଏକାକାର ହୋଇ ସ୍ଵତଃ ସ୍ପୁର୍ତ୍ତ ଭାବରେ ନିଜକୁ ଜଗନ୍ନାଥ ଙ୍କ ସେବକ ଭାବରେ ସେବା ଯୋଗାଇ ମହୋତ୍ସବକୁ ସଫଳ କରିବା ସହିତ ଏକତାର ମନ୍ତ୍ରରେ ଅଭିମନ୍ତ୍ରିତ ହୋଇ ସମସ୍ତେ ନିଜକୁ ସାମିଲ କରିନେଇଥିଲେ । ମହୋତ୍ସବକୁ ଶାନ୍ତିପୂର୍ଣ୍ଣ ଭାବରେ ସଫଳତାର ସହ ସମ୍ପନ୍ନ କରିବା ପାଇଁ ମୁଖ୍ୟ ପରିଚାଳନା କମିଟି, ଅଭ୍ୟର୍ଥନା , ମୀନା ବଜାର , ଶାନ୍ତି ଶୃଙ୍ଖଳା , ସଫେଇ , ସାଂସ୍କୃତିକ, ପୂଜା , ଅନ୍ନଭୋଗ , ଦୋକାନ ବଜାର ଆଦି କମିଟି ମାନ ଗଠନ କରାଯାଇ ଥିଲା ଓ ସମସ୍ତେ ସକ୍ରିୟ ହୋଇ ଦାୟିତ୍ଵ ନିର୍ବାହ କରିଥିଲେ ।ତିନି ଦିନ ଧରି ଚାଲିଥିବା ଏହି ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବର ଅନ୍ତିମ ଦିବସରେ ଆଜି ଗୀତା ଯଜ୍ଞ, ବିଷ୍ଣୁ ସହସ୍ର ନାମ , ନୃସିଂହ ସହସ୍ର ନାମ ସହିତ ଅପରାହ୍ନ ୪ ଟାରେ ଯଜ୍ଞ କର୍ମ ରୀତି ପୂର୍ଣ୍ଣାହୁତି ସହ ସମ୍ପନ୍ନ ହୋଇଥିଲା ।ଏହା ପରେ ଶ୍ରୀରାଧା କୃଷ୍ଣଙ୍କ ନଗର ପରିକ୍ରମା କରାଯାଇ ରାତ୍ର ୯ ଘଣ୍ଟା ସମୟରେ ଶ୍ରୀ ରାଧାକୃଷ୍ଣଙ୍କ ରତ୍ନ ସିଂହାସନରେ ବିଜେ କଲାପରେ ମହା ଆରତୀ ସହ ସମ୍ପନ୍ନ ହୋଇଥିଲା ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ । ଆଜି ଅନ୍ତିମ ଦିବସରେ ବିଭିନ୍ନ ଗ୍ରାମରୁ ପାହୁର ଭାର ପ୍ରଭୁ ଜଗନ୍ନାଥଙ୍କ ପାଖକୁ ପହଞ୍ଚିଥିଲା । ଏହି ଅବସରରେ ବିଭିନ୍ନ ପ୍ରକାର ଦାନ କରିଥିବା ୫୬ ଜଣ ବଦାନ୍ୟ ବ୍ୟକ୍ତିଙ୍କୁ ସୁବର୍ଣ୍ଣ ଜୟନ୍ତୀ କମିଟି ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା।ଏହା ବ୍ୟତୀତ ଆଜି ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀକ୍ଷେତ୍ର ପୁରୀ ରୁ ଅବଢ଼ା ପହଞ୍ଚିଥିଲା ଅତାବିରାକୁ । ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କୁ ଏହି ଅବଢ଼ା ବଣ୍ଟନ କରିଥିଲେ ଗ୍ରାମର ଯୁବତୀ ମାନେ । ସତେ ଯେମିତି ସ୍ଥାନଟି ଶ୍ରୀକ୍ଷେତ୍ର ପୁରୀର ଆନନ୍ଦ ବଜାର ପାଲଟି ଯାଇଥିଲା ଆଜି। ତିନି ଦିନ ଧରି ଆନ୍ଧ୍ର ସମ୍ପ୍ରଦାୟର ମହିଳା ଓ ଅତାବିରା ସତ୍ୟ ସାଇ ସେବା ସମିତିର ଭାଇ ଭଉଣୀ ମାନେ ଅନ୍ନ ପ୍ରସାଦ ବଣ୍ଟନ ସହ ଅନ୍ୟାନ୍ୟ ସେବା ଯୋଗାଇଥିଲେ।ବନ୍ଦିତା ନାଏକଙ୍କ ପାରାୟଣ,ଗାୟିକା ପୁଷ୍ପାଞ୍ଜଳି ମେହେରଙ୍କ ଦ୍ଵାରା ଓମ୍ ଜୟ ଶ୍ରୀ ରାମ କୃଷ୍ଣ ଗୁରୁ ଭଜନ ଓ ରାତିରେ ଆଶିଷ କୁମାର ଓ ସାଥିଙ୍କ ସର୍ଗମ୍ ସିତିରା ଆର୍କେଷ୍ଟ୍ରା ସମସ୍ତଙ୍କର ମନ ମୋହିଥିଲା।ମୁଖ୍ୟ ପରିଚାଳନା କମିଟିର ସଭାପତି ଦୈତାରି ପ୍ରଧାନ, ଉପ ସଭାପତି ସୁରେନ୍ଦ୍ର ସ୍ୱାଇଁ, ସମ୍ପାଦକ ଅମୃତ ପ୍ରଧାନ, ସହସମ୍ପାଦକ ସ୍ଵାଧୀନ ପ୍ରଧାନ , କୋଷାଧ୍ୟକ୍ଷ ମନୋଜ କୁମାର ବରେଇ, ସହ କୋଷାଧ୍ୟକ୍ଷ ଦେବେଶ ପ୍ରଧାନ , ଅତାବିରାର ସମସ୍ତ ଅନୁଷ୍ଠାନ, ସମ୍ପ୍ରଦାୟ ଓ ଜନ ସାଧାରଣଙ୍କ ସହଯୋଗ ରେ ଏହି ମହୋତ୍ସବ ଶାନ୍ତିପୂର୍ଣ୍ଣ ଭାବରେ ସମ୍ପନ୍ନ ହୋଇଛି ।
