ଭୂବନେଶ୍ୱର, ୨୭/୦୩ : ଲୋୟର ପିଏମଜିରେ ଅଣାୟତ୍ତ ହୋଇଛି ସ୍ଥିତି । ପୋଲିସ ଓ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଛନ୍ତି । ଲୋୟର ପିଏମଜିରୁ ପିସିସି ସଭାପତି ଭକ୍ତ ଦାସ, ବିଧାୟକ ତାରାବାହିନୀ ପତି ଏବଂ ମହମ୍ମଦ ମୋକିମଙ୍କୁ ଉଠାଇ ନେଇଛି ପୋଲିସ । ବଡ଼ ବଡ଼ ନେତାଙ୍କୁ ଗିରଫ କରିବା ଦ୍ୱାରା କର୍ମୀ ଶାନ୍ତ ପଡ଼ିବେ ଓ ଆନ୍ଦୋଳନରୁ ଓହରିବା ନେଇ ପୋଲିସ ଆଶା ରଖିଛି ।
ଲୋୟର ପିଏମ୍ଜିରେ ବ୍ୟାରିକେଡ୍ ଭାଙ୍ଗି ଧସେଇ ପଶିଥିଲେ କଂଗ୍ରେସ କର୍ମୀ । ବ୍ୟାରିକେଡ୍ ଭାଙ୍ଗି ବିଧାନସଭା ଅଭିମୁଖେ ଅଗ୍ରସର ବେଳେ ପୋଲିସ ସହ କଂଗ୍ରେସ ନେତା ଓ କର୍ମୀ ଧସ୍ତାଧସ୍ତି ଓ ଠେଲାପେଲା ହୋଇଥିଲେ । ପୋଲିସ ଉପରକୁ ଚେୟାର ଫିଙ୍ଗିବା ସହ ଟେକାପଥର ଫିଙ୍ଗିଥିଲେ କଂଗ୍ରେସ କର୍ମୀ । ପାଣି ବୋତଲ ମଧ୍ୟ ଉତ୍ତ୍ୟକ୍ତ କଂଗ୍ରେସ କର୍ମୀ ଫିଙ୍ଗା ଫୋପଡ଼ା କରିଥିଲେ । ସ୍ଥିତି ନିୟନ୍ତ୍ରଣ କରିବା ପାଇଁ କଂଗ୍ରେସ କର୍ମୀଙ୍କ ଉପରେ ପାଣିମାଡ଼ ଓ ଟିୟର ଗ୍ୟାସ ମାଡ଼ କରିଥିଲା ପୋଲିସ । ଏସବୁ ସତ୍ତ୍ବେ କଂଗ୍ରେସ କର୍ମୀଙ୍କୁ ଅଟକାଇବାକୁ ନାକେଦମ୍ ହେଲାଣି ପୋଲିସ ।