ଦିନ ଦ୍ୱିପହରେ ଟଙ୍କା ବ୍ୟାଗ ଲୁଟ,ନାଲକୋ ଥାନାରେ ଅଭିଯୋଗ
ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଫେରିବା ବାଟରେ ୭୮ ହଜାର ଟଙ୍କା ଲୁଟି ନେଲେ ଲୁଟେରା
ଅନୁଗୋଳ: ଅନୁଗୋଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କାଣ୍ଡସର ଗ୍ରାମର ଧୋବାସାହିଠାରେ ଦିନ ଦ୍ୱିପହରେ ଟଙ୍କା ବ୍ୟାଗ ଲୁଟି ନେଲେ ଦୁର୍ବୁର୍ତ୍ତ। ସୂଚନା ଅନୁଯାୟୀ ଗୁରୁବାର ପୂର୍ବାହ୍ନ ସମୟରେ କାଣ୍ଡସର ପଞ୍ଚାୟତ କନ୍ୟାବେଡା ଗାଁର ବିଶ୍ୱନାଥ ସାହୁ ଓ ତାଙ୍କ ଝିଅ ସୋନାଲି ସାହୁ ଇଣ୍ଡିଆନ ଓଭରସିଜ ବ୍ୟାଙ୍କରୁ ୫୦ ହଜାର ଟଙ୍କା ସହ ପଞ୍ଜାବ ନେସନାଲ ବ୍ୟାଙ୍କରୁ ୧ ଲକ୍ଷ ଟଙ୍କା ଉଠାଇଥିଲେ । ଟଙ୍କା ଉଠାଣ କରି ଘରକୁ ଫେରିବା ବାଟରେ ଦିବା ୧୨ ଘଟିକା ୩୦ ମିନିଟ ରୁ ୧ ଘଟିକା ମଧ୍ୟରେ କାଣ୍ଡସର ଧୋବାସାହି ଛକ ନିକଟସ୍ଥ ପାନ ଦୋକାନରୁ ଥଣ୍ଡା ଆଣିବା ପାଇଁ ଯାଇଥିବା ବେଳେ ଝିଅ ସୋନାଲି ବାଇକ ନିକଟରେ ଛିଡା ହୋଇଥିଲେ । ସେହି ସମୟରେ ଦୁଇ ଜଣ ଦୁର୍ବୁତ୍ତ କଳା ରଙ୍ଗର ୟୁନିକର୍ଣ୍ଣ ବାଇକ ଯୋଗେ ଆସି ଦେଢ଼ ଲକ୍ଷ ଟଙ୍କା ଥିବା ହ୍ୟାଣ୍ଡ ବ୍ୟାଗକୁ ସୋନାଲି ଠାରୁ ଛଡାଇବାକୁ ଉଦ୍ୟମ କଲେ । ଏହି ଟଣାଉଟରା ସମୟରେ ବ୍ୟାଗରୁ ୭୨ ହଜାର ଟଙ୍କା ତଳେ ଖସି ପଡିବା ସହ ବାକି ୭୮ ହଜାର ଟଙ୍କା ଥିବା ବ୍ୟାଗକୁ ନେଇ ଦୁର୍ବୁତ୍ତ ମାନେ ପଳାଇ ଗଲେ । ଏନେଇ ବିଶ୍ୱନାଥ ନାଲକୋ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ନାଲକୋ ଆଦର୍ଶ ଥାନା ଅଂଚଳରେ ଚୋରୀ, ରାହାଜାନୀ, ଡକାୟତି ମାମଲା ବୃଦ୍ଧି ପାଇବା ବେଳେ ବେଆଇନ ନିଶା କାରବାର ଯୋଗୁଁ ଏଭଳି ସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଅଛି ।