ଭୂବନେଶ୍ୱର, ୦୫/୦୪ : ରୁକୁଣା ରଥଯାତ୍ରା ପାଇଁ ଚଳଚଞ୍ଚଳ ଏକାମ୍ର କ୍ଷେତ୍ର । ରଥଦାଣ୍ଡରେ ଗଡ଼ିବ ରୁକୁଣା ରଥ। ଦିନ ୩ଟାରେ ଆରମ୍ଭ ହେବ ରଥଟଣା । ତିନି ଠାକୁର ରଥାରୁଢ଼ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ । ଅପେକ୍ଷା କରିରହିଛନ୍ତି ଶହ ଶହ ଶ୍ରଦ୍ଧାଳୁ । କେଦାରଗୌରୀ ନିକଟ ତଥା ମୁକ୍ତେଶ୍ବର ମନ୍ଦିର ପରିସରରେ ଥିବା ମରିଚିକୁଣ୍ଡରୁ ପାଣି ଆସିବା ପରେ କ୍ଷେତ୍ରବାସୀ ବ୍ରାହ୍ଣଣ ନିଯୋଗର ସେବାୟତ ରଥ ପ୍ରତିଷ୍ଠା ପୂଜା କରିଥିଲେ ।
ସେହିଭଳି ନେତ ପୂଜା କରାଯାଇଥିଲା ଏବଂ ରଥ ଚୂଡ଼ାରେ ନେତ ଲଗାଯାଇଥିଲା । ଏହି ରଥର ବିଶେଷତ୍ବ ହେଉଛି ଏହା ଅଣଲେଉଟା । ରୁକୁଣା ରଥଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ରଥଟଣା ସୁରୁଖୁରୁରେ କରିବା ପାଇଁ ସମସ୍ତ ନିଯୋଗଙ୍କୁ ସହଯୋଗ ପାଇଁ ଅନୁରୋଧ କରାଯାଇଛି । ଏହି ଅବସରରେ ୬ ଦିନ ଧରି ପ୍ରଭୁ ଲିଙ୍ଗରାଜଙ୍କ ଉତ୍ସବ ପାଳନ ହେବ। ରୁକୁଣା ରଥର ଉଚ୍ଚତା ୩୫ ଫୁଟ ଏବଂ ଏଥିରେ ୪ଟି ଟକ, ୨ଟି ଓରା, ୧୬ ନାକାହା ଓ ୫ ଦଣ୍ଡା ରହିଛି ।