ଭଦ୍ରକ: ଭଦ୍ରକ ଜିଆରପି ପୋଲିସକୁ ମିଳିଛି ବଡ଼ ସଫଳତା । ନୀଳାଚଳ ଏକ୍ସପ୍ରେସରୁ ୪ଟି ଲଗେଜ୍ ବ୍ୟାଗ ଭର୍ତ୍ତି ଗଞ୍ଜେଇ ଜବତ କଲା ଜିଆରପି । ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ କରିବା ସହିତ ଜଣେ ମହିଳାଙ୍କୁ ଅଟକ ରଖି ପଚରାଉଚରା କରୁଛି ଭଦ୍ରକ ଜିଆରପି ପୋଲିସ ।
ସୂଚନା ଅନୁଯାୟୀ, ପୁରୀରୁ ନୂଆଦିଲ୍ଲୀ ଯାଉଥିବା ଟ୍ରେନ ନମ୍ୱର ୧୨୮୧୫ ଆନନ୍ଦ ବିହାର (ନୀଳାଚଳ ଏକ୍ସପ୍ରେସ) ଟ୍ରେନରେ ଏହି ଗଞ୍ଜାଇ ଚୋରା ଚାଲାଣ ହେଉତିଲା ।
ଜଣେ ମହିଳା ଏହି ଗଞ୍ଜେଇ ଭର୍ତ୍ତି ବ୍ୟାଗ୍ ଧରି ଭୁବନେଶ୍ୱର ରେଳଷ୍ଟେସନରୁ ଟ୍ରେନରେ ଚଢ଼ିଥିଲେ । ମହିଳାଙ୍କ ନିକଟରେ ୪ଟି ବଡ଼ ଲଗେଜ୍ ବ୍ୟାଗ୍ ଦେଖି ସନ୍ଦେହ କରିଥିଲା ରେଳବାଇ ଜିଆରପି ପୋଲିସର ସ୍ପେଶାଲ୍ ସ୍କ୍ୱାର୍ଡ । ମହିଳାଙ୍କ ପିଛା କରିବା ସହିତ ଭଦ୍ରକ ଜିଆରପିକୁ ଖବର ଦେଇଥିଲେ ।ଏହାପରେ ନୀଳାଚଳ ଟ୍ରେନ୍ ଭଦ୍ରକ ଷ୍ଟେସନରେ ପହଞ୍ଚିଲା ବେଳେ ମହିଳାଙ୍କୁ ଧରିଥିଲା ଭଦ୍ରକ ଜିଆରପି ପୋଲିସ । ମହିଳାଙ୍କ ନିକଟରୁ ୪ ଟି ବ୍ୟାଗ ଜବତ କରିଥିଲା । ଯେଉଁଥିରେ ୪୦ କିଲୋରୁ ଉର୍ଦ୍ଧ୍ବ ଓଜନର ଗଞ୍ଜେଇ ରହିଛି । ଯାହାର ଆନୁମାନିକ ମୂଲ୍ୟ ୩ ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡ଼ିଛି । ମହିଳାଙ୍କ ଘର ଉତ୍ତର ପ୍ରଦେଶ ହାତରସ ଜିଲ୍ଲା ସଦାବାଗ ଚୈରା ଅଞ୍ଚଳରେ ବୋଲି ଜଣାପଡିଛି । ମହିଳାଙ୍କୁ ପଚରାଉଚରା ପରେ ଏକ ମାମଲା ରୁଜୁ କରିବା ସହ କୋର୍ଟ ଚାଲାଣ ହୋଇଥିବା ଜଣାପଡିଛି ।