ଆଜି ପୁରୀରେ ଗୁରୁ ମନ୍ତ୍ର ଦେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା
ଭୂବନେଶ୍ୱର,୧୨/୦୪: ଆଜି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପୁରୀରେ ବିଜେପି କର୍ମଶାଳା ଉଦ୍ଘାଟନ୍ କରିବେ । ବିଧାୟକ ପଢ଼ିବେ ପାଠ । ଅଭିଜ୍ଞଙ୍କଠୁଁ ଶିଖିବେ ନବାଗତ ଓ ନବାଗତା । ନୂଆ ବିଧ୍ୟାୟକଙ୍କୁ କେମିତି ଚାଲେ ସରକାର, ତା’ର ତାଲିମ ଦେବେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା । ସମସ୍ତ ଲୋକସଭା ସାଂସଦ, ରାଜ୍ୟସଭା ସାଂସଦ ଓ ବିଧାୟକମାନେ ନେବେ ପ୍ରଶିକ୍ଷଣ ।
ପୁରୀରେ ବିଜେପି ନେତାମାନେ ପହଞ୍ଚିଛନ୍ତି । ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସାଂସଦ ଡା. ସମ୍ବିତ୍ ପାତ୍ର, ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସମେତ ବହୁ ସାଂସଦ ଓ ବିଧାୟକମାନେ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍ ରୋଡସ୍ଥିତ ସ୍ୱାମୀ ନାରାୟଣ ମନ୍ଦିର ପ୍ରାଙ୍ଗଣରେ ପହଞ୍ଚିଛନ୍ତି । ରାତିରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ପହଞ୍ଚିଛନ୍ତି ।ଆଜି ସକାଳ ସାଢ଼େ ୯ଟାରେ ବୈଠକ ଆରମ୍ଭ ହେବ । ଏଥିରେ ସାଂସଦ ଓ ବିଧାୟକମାନଙ୍କୁ ଗୁରୁମନ୍ତ୍ର ଦେବେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା। ରାଜ୍ୟବାସୀଙ୍କ ନିକଟରେ ସରକାରଙ୍କ ସମସ୍ତ ଯୋଜନା କିପରି ଶତ ପ୍ରତିଶତ ପହଞ୍ଚିପାରିବ ସେନେଇ କାର୍ଯ୍ୟ କରିବାକୁ ପରାମର୍ଶ ଦେବେ । ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବା ବେଳେ ଏଥିରେ ଦଳ ଯେଭଳି ଓଡ଼ିଶାର ୩୦ଟି ଜିଲ୍ଲାପରିଷଦ ଓ ୩୧୪ ବ୍ଲକ୍ ଅଧ୍ୟକ୍ଷ ପଦକୁ ହାତେଇବ ସେ ସଂପର୍କିତ ଖସଡ଼ା ପ୍ରସ୍ତୁତ ନେଇ ପ୍ରଶିକ୍ଷଣ ପ୍ରଦାନ କରାଯିବ । ଏହି ପ୍ରଶିକ୍ଷଣ ରବିବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଜାରି ରହିବ । ୧୪ ତାରିଖ ସକାଳେ ଶ୍ରୀ ନଡ୍ଡା ଜିଲ୍ଲାର କାର୍ଯ୍ୟକର୍ତ୍ତାମାନଙ୍କ ସହ ଆଲୋଚନା କରି ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି । ଏହି ପ୍ରଶିକ୍ଷଣ ଶିବିରରେ ୨୦ ଲୋକସଭା ସାଂସଦ, ୩ ରାଜ୍ୟସଭା ସାଂସଦ, ୮୧ ବିଧାୟକ ଯୋଗଦେବେ ।