କୋଲକାତା: ପଶ୍ଚିମବଙ୍ଗର ମୁସଲମାନବହୁଳ ମୁର୍ଶିଦାବାଦରେ ଓ୍ବାକଫ ସଂଶୋଧନ ଆଇନ ବିରୋଧରେ ବିକ୍ଷୋଭ ଉଗ୍ରରୂପ ନେଇଛି। ହିଂସାରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ପୋଲିସ କହିଛି। ଏପଟେ ଓ୍ବାକଫ୍ ଆଇନକୁ ନେଇ ଜାରି ରହିଥିବା ହିଂସାକୁ ନିୟନ୍ତ୍ରଣ ପାଇଁ ଅର୍ଦ୍ଧସାମରିକ ବଳ ମୁତୟନ ହେବେ; ଏନେଇ ଆଦେଶ ଦେଇଛନ୍ତି ପଶ୍ଚିମବଙ୍ଗ ହାଇକୋର୍ଟ ।
ସମଶରଗଞ୍ଜ ଅଞ୍ଚଳର ଜାଫ୍ରାବାଦର ବାପପୁଅ ହରଗୋବିନ୍ଦ ଦାସ ଓ ଚନ୍ଦନଙ୍କୁ ଛୁରାମାଡ଼ କରି ହତ୍ୟା କରାଯାଇଛି। ସୂତି ଅଞ୍ଚଳର ସଜୁର ମୋରେଠାରେ ଗୁଳିମାଡ଼ରେ ଗୁରୁତର ୨୧ ବର୍ଷୀୟ ଯୁବକ ଇଜାଜ ମୋମିନ ଶୁକ୍ରବାର ହସ୍ପିଟାଲରେ ପ୍ରାଣ ହରାଇଛନ୍ତି। ବିକ୍ଷୋଭକାରୀମାନେ ପୋଲିସ ଭ୍ୟାନ୍ ସମେତ କେତେକ ଗାଡ଼ି ଜାଳିଦେଇଥିଲେ। ଏହି ହିଂସାରେ ୧୫ଜଣ ପୋଲିସକର୍ମୀ ମଧ୍ୟ ଆହତ ହୋଇଛନ୍ତି ।ସୂଚନାଥାଉକି, ମୁର୍ଶିଦାବାଦ ହିଂସାରେ ସମ୍ପୃକ୍ତ ୧୧୮ ଜଣଙ୍କୁ ଗିରଫ କରାଯାଇଛି । ଏଥିସହ ଇଣ୍ଟରନେଟ୍ ବନ୍ଦ କରାଯିବା ସହିତ ସମସ୍ତ ପ୍ରକାରର ସମାବେଶକୁ ମଧ୍ୟ ନିଷେଧ କରାଯାଇଛି।ସମ୍ବେଦନଶୀଳ ସୀମାନ୍ତ ଅଞ୍ଚଳରେ ବିଏସ୍ଏଫ୍ ଯବାନଙ୍କୁ ମୁତୟନ କରାଯାଇଛି। ହିଂସାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ଡିଜି ରାଜୀବ କୁମାର କହିଛନ୍ତି।ଏପଟେ ବ୍ୟାପକ ବିରୋଧ ପ୍ରଦର୍ଶନ ମଧ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର ଶାନ୍ତି ଏବଂ ସଦ୍ଭାବନା ପାଇଁ ଅପିଲ କରିବା ସହ ତାଙ୍କ ରାଜ୍ୟରେ ନୂତନ ଆଇନ ଲାଗୁ ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।