ଗୋଡଭଗାକ୍ୟାମ୍ପ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ – କଲସ ଯାତ୍ରରେ ସାମିଲହେଲା ୧୧ଶହ ଏଗାର ଶୁଭ କଳସ

ବରଗଡ:୨୪/୪(ପବିତ୍ର ମେହେର) ବରଗଡ ଜିଲ୍ଲା ଅତାବିରା ବ୍ଲକ ଗୋଡଭଗାକ୍ୟାମ୍ପ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପାଇଁ ଗୁରୁବାର କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଗୁରୁବାର ସକାଳ ୭ଟା ସମୟରେ ମଙ୍ଗଳାରୋପଣ କରାଯାଇଥିଲା । ସକାଳ ୭.୩୦ ମିନିଟ ସମୟରେ ପୂର୍ବରୁ ଯଞ୍ଜ ମଣ୍ଡପରେ ରଖାଯାଇଥିବା ଏଗାର ଶହ ଏଗାର କଳସ ଓ ନଡିଆକୁ ପଣ୍ଡିତ ମାନଙ୍କ ଦ୍ୱାରା ପୂଜା କରାଯାଇଥିଲା । ମୂଖ୍ୟ କର୍ତ୍ତାଙ୍କ ସମେତ ୧୧ ଯୋଡି କର୍ତ୍ତା ପ୍ରଥମେ ଶୁଭ କଳସକୁ ନେଇ କଳସ ଯାତ୍ରାପାଇଁ ବାହାରିଥିଲେ ।

ଏହାପରେ ୧୧ଶହ ମହିଳା କଳସ ଧରି ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ଶଙ୍ଖନାଦ,ଘଣ୍ଟ ବାଦ୍ୟ,ସଂକିର୍ତ୍ତନ୍ୟ, ଓ ଦୁଲଦୁଲି ବାଜାର ତାଳେତାଳେ ଗୋଡଭଗା ଛକ ହୋଇ ଗୋଡଭଗା ଶିବମନ୍ଦିର ପୁସ୍କରିଣୀକୁ ଯାଇଥିଲେ । ପୁସ୍କରିଣୀରେ କର୍ତ୍ତମାନଙ୍କୁ ନେଇ ପଣ୍ଡିତ ମଣ୍ଡଳୀ ସଙ୍କଳ୍ପ କରାଇଥିଲେ । ଏହାପରେ କଳସ ଯାତ୍ରାରେ ସାମିଲ ହୋଇଥିବା କର୍ତ୍ତମାନଙ୍କ ସମେତ ସମସ୍ତ କଳସ ଯାତ୍ରୀ ଶୁଭ କଳସରେ ପବିତ୍ର ଜଳ ସଂଗ୍ରହ କରି ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ଯଞ୍ଜମଣ୍ଡପକୁ ପହଞ୍ଚି ଶୁଭ କଳସ ସ୍ଥାପନା କରିଥିଲେ । ଏହାପରେ ଯଞ୍ଜମଣ୍ଡପରେ ଶାଳା ସଂସ୍କାର କରାଯାଇ,ଯଞ୍ଜାରମ୍ଭ ,ଦେବାଦେବୀଙ୍କର ଆବାହନ,ମୂଖ୍ୟ ଦେବତାଙ୍କର ସଂକ୍ଷିପ୍ତୋଚାର,ଅଗ୍ନିସ୍ଥାପନ ପୂଜା କରାଯାଇଥିଲା । ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ବୃଦ୍ଧିପାଇଥିବାରୁ କଳସ ଯାତ୍ରାସମୟରେ ପାଇଁ ମନ୍ଦିର ପ୍ରତିଷ୍ଠା କମିଟୀ ତରଫରୁ ଯାତ୍ରୀମାନଙ୍କ ଯିବାଆସିବାପାଇଁ ଟ୍ୟାଙ୍କରରେ ପାଣି ସିଂଚନ କରାଯିବା ସହ ଥଣ୍ଡା ପାନୀୟ ଜଳ ଓ ଅନ୍ନ ପ୍ରସାଦର ସୁବ୍ୟବସ୍ଥା କରାଯାଇଥିଲା । ଏଥିସହ ଗୋଡଭଗା ଛକର ବିଭିନ୍ନ ସାମାଜିକ ଅନୁଷ୍ଠାନ ତରଫରୁ କଳସ ଯାତ୍ରାରେ ସାମିଲ ହୋଇଥିବା ମହିଳା ଓ ପୁରୁଷ ମାନଙ୍କପାଇଁ ଥଣ୍ଡାପାନୀୟ ଜଳର ସୁବ୍ୟବସ୍ଥା କରାଯାଇଥିଲା । ସନ୍ଧ୍ୟାରେ ରେମଣ୍ଡା ଓ ତଲାବିରାର କୃଷ୍ଣଗୁରୁ ପରିବେଷଣ ହୋଇଥିଲା ।
