ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଏପରିକି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଆଶଙ୍କା ଘନେଇଛି।
ଏଭଳି ସମୟରେ ଜଣେ ପାକିସ୍ତାନୀ ମନ୍ତ୍ରୀ ଭାରତକୁ ପରମାଣୁ ଆକ୍ରମଣର ଧମକ ଦେଇଛନ୍ତି। ଶାହବାଜ ସରିଫଙ୍କ କ୍ୟାବିନେଟର ଜଣେ ମନ୍ତ୍ରୀ ହନିଫ ଆବାସି କହିଛନ୍ତି ଯେ ପାକିସ୍ତାନର ଘୋରୀ, ଶାହୀନ ଏବଂ ଗଜନବୀ କ୍ଷେପଣାସ୍ତ୍ର ଭଳି ୧୩୦ଟି ପରମାଣୁ ଅସ୍ତ୍ର କେବଳ ଭାରତ ପାଇଁ ରଖାଯାଇଛି।
ଯଦି ଭାରତ ପାକିସ୍ତାନର ପାଣି ବନ୍ଦ କରିବାକୁ ସାହସ କରେ ତେବେ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ଧମକ ଦେଇଛନ୍ତି ସେ।ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମ ପାଖରେ ଥିବା ୧୩୦ଟି ପରମାଣୁ ଅସ୍ତ୍ର କେବଳ ମଡେଲ ତିଆରି ପାଇଁ ରଖାଯାଇ ନାହିଁ। ଆମେ ସେମାନଙ୍କୁ ପାକିସ୍ତାନର କେଉଁ ଅଞ୍ଚଳରେ ରଖିଛୁ ତାହା ତୁମକୁ ଜାଣିନାହିଁ। ପାକିସ୍ତାନର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର, କ୍ରୁଜ୍ କ୍ଷେପଣାସ୍ତ୍ର ଏବଂ ପରମାଣୁ ଅସ୍ତ୍ର ଭାରତକୁ ଲକ୍ଷ୍ୟ କରି ପ୍ରସ୍ତୁତ ରହିଛନ୍ତି।ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ବିରୁଦ୍ଧରେ ଭାରତର କଡ଼ା କାର୍ଯ୍ୟାନୁଷ୍ଠାନ ପରେ ମନ୍ତ୍ରୀ ଏଭଳି ପ୍ରତିକ୍ରିୟା ଦେଇଛନ୍ତି। ତେବେ ଏହି ଆକ୍ରମଣରେ ୨୬ ଜଣ ପ୍ରାଣ ହରାଇଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ପର୍ଯ୍ୟଟକ ଥିଲେ।