ପୂରୀ: ପବିତ୍ର ଅକ୍ଷୟ ତୃତୀୟା ଦିନ ବିଶ୍ବ ପ୍ରଶିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣର ଶୁଭାରମ୍ଭ ହୋଇଛି । ଆସନ୍ତା ଜୁନ୍ ୨୭ରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ପ୍ରଥମ ରଥଯାତ୍ରା ସମନ୍ବୟ ବୈଠକ ପୁରୀ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଛି । ଚଳିତ ବର୍ଷ ରଥଯାତ୍ରାକୁ କିଭଳି ଶାନ୍ତି ଶୃଙ୍ଖଳା ସହ ସୁରୁଖୁରୁରେ ସମ୍ପାଦନ କରାଯାଇପାରିବ ସେ ନେଇ ଆଲୋଚନା ହୋଇଥିଲା ।
ଏହି ବୈଠକରେ ସୂଚନା ଦିଆଯାଇଛି ଯେ, ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଓ ଶ୍ରୀଜଗନ୍ନାଥ ଧାମକୁ ନେଇ ସ୍ଵତନ୍ତ୍ର ଆପ୍ ସହ ୱେବସାଇଟ୍ ହେବ । ରଥଯାତ୍ରା ସମୟରେ ରେଳ ବିଭାଗ ପକ୍ଷରୁ ୩୬୫ଟି ସ୍ଵତନ୍ତ୍ର ଟ୍ରେନ୍ ଚଳାଚଳ କରିବ । ସିସିଟିଭି, ଅତ୍ୟାଧୁନିକ ଡ୍ରୋନ୍ କ୍ୟାମେରା ସହିତ AI କ୍ୟାମେରା ନଜରରେ ରହିବ ପୁରୀ । ରଥଯାତ୍ରା ସମୟରେ ଲୋକଙ୍କ ପାଇଁ ୫ ଲକ୍ଷ ଟଙ୍କାର ବୀମା ବ୍ୟବସ୍ଥା କରାଯିବ । ଭିନ୍ନକ୍ଷମଙ୍କ ଦର୍ଶନ ପାଇଁ ବଡଦାଣ୍ଡର ୫ ରୁ ୭ ସ୍ଥାନରେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯିବ ।ରଥ କାଠ ଯୋଗାଣ, ରଥ ନିର୍ମାଣ, ନୀତି ସଂପାଦନ, ସ୍ଵାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍ ଯୋଗାଣ ଆଦି ୨୧ଟି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା ।ରଥଯାତ୍ରା ସମୟରେ ସ୍ବାସ୍ଥ୍ୟବସ୍ଥା ଉପରେ ଗୁରୁତ୍ଵ ଦିଆଯାଇଛି । ୧୪୦ଟି ଅଧିକ ଶଯ୍ୟା, ୩୩ଟି ଆଶୁ ଚିକିତ୍ସା କେନ୍ଦ୍ର ଓ ୫ ଜଣ ଫୁଡ୍ ଇନ୍ସପେକ୍ଟର ଆସିବେ ବୋଲି ବୈଠକରେ ପୁରୀ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ରଥ ନିର୍ମାଣ ପାଇଁ ୮୬୫ ଖଣ୍ଡ କାଠର ଆବଶ୍ୟକତା ରହିଛି । ବିଗତ ବର୍ଷର ୫୧ ଖଣ୍ଡ ବଳକା ରହିଛି । ଖପୁରିଆ କରତକଳକୁ ଆବଶ୍ୟକ ୪୧୮ ଖଣ୍ଡ କାଠ ମଧ୍ୟରୁ ୧୫୭ ଖଣ୍ଡ ଏବଂ ରଥଖଳା ପାଇଁ ଆବଶ୍ୟକ ୩୯୬ ଖଣ୍ଡ କାଠ ମଧ୍ୟରୁ ୧୬୯ ଖଣ୍ଡ କାଠ ପହଞ୍ଚି ସାରିଛି ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ ସୂଚନା ଦେଇଥିଲେ ।ଏଥିସହ ରେଡ଼କ୍ରସ ରୋଡ ସମେତ କ୍ରସ ଡ୍ରେନ୍ ଓ ବଡ଼ଦାଣ୍ଡର ସଫେଇ କାର୍ଯ୍ୟ ମେ ୧୫ ସୁଦ୍ଧା ଶେଷ ହେବ ବୋଲି ସୂଚନା ରହିଛି । ବଡ଼ଦାଣ୍ଡକୁ ୧୫ଟି ଜୋନରେ ବିଭକ୍ତ କରାଯାଇଛି । ୧୪ଟି ଜଳମଗ୍ନ ଅଞ୍ଚଳ ଚିହ୍ନଟ କରାଯାଇଛି । ଜୁନ୍ ସୁଦ୍ଧା ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ସାହି, ଗଳିକନ୍ଦି ନାଳ ସଫେଇ ଶେଷ କରାଯିବ ।ଟ୍ରେନର ସମୟ ଏବଂ ସୂଚନା ପ୍ରଦାନ ପାଇଁ ଭିଡିଓ ଓ୍ବାଲ୍ ସହ ଟିକେଟ ବୁକିଂ କାଉଣ୍ଟର, ଅଟୋମେଟିକ୍ ଟିକେଟ ଭେଣ୍ଡିଙ୍ଗ ମେସିନ୍ ଲଗାଯିବ । ମାଳତୀପାଟପୁର ଓ ତାଳବଣିଆରେ ବସ ଗୁଡ଼ିକର ପାର୍କିଂ ବ୍ୟବସ୍ଥା ହେବ । ୧୩୦ ନିୟମିତ ବସ ସହ ଅଧିକ ବସ ଚଳାଚଳ କରିବ । ପ୍ରଥମ ସମନ୍ୱୟ ବୈଠକରେ ବିଭାଗ ଗୁଡିକ ଦେଇଥିବା ପ୍ରତିଶ୍ରୁତି ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ କେନ୍ଦ୍ରାଞ୍ଚଳ ଆରଡିସି ଓ ପୁରୀ ଜିଲ୍ଲାପାଳ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।