କୋଲକାତା: ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲ୍ଲାର ଦୀଘାରେ ନିର୍ମିତ ନୂଆ ଜଗନ୍ନାଥ ମନ୍ଦିର, ଯାହାକୁ ଆନୁଷ୍ଠାନିକ ଭାବେ ‘ଶ୍ରୀ ଜଗନ୍ନାଥ ଧାମ ସାଂସ୍କୃତିକ କେନ୍ଦ୍ର’ ନାମେ ଅଭିହିତ କରାଯାଇଛି, ସେହି ମନ୍ଦିରକୁ ‘ଜଗନ୍ନାଥ ଧାମ’ ନାମକରଣ କରାଯିବା ନେଇ ଓଡ଼ିଶା ସରକାରଙ୍କ ଆପତ୍ତିକୁ ଯଥାର୍ଥ ବୋଲି କହିଛନ୍ତି ପଶ୍ଚିମବଙ୍ଗ ବିଜେପି ବିଧାୟକ ଅଗ୍ନିମିତ୍ରା ପାଉଲ।
ଓଡ଼ିଶା ସରକାର ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ, ପୁରୀକୁ ଏହି ବିବାଦର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।ଏପ୍ରିଲ ୩୦ରେ ଉଦଘାଟିତ ଦୀଘା ମନ୍ଦିରକୁ ପଶ୍ଚିମବଙ୍ଗ ସରକାରଙ୍କ ରେକର୍ଡରେ ‘ଶ୍ରୀ ଜଗନ୍ନାଥ ଧାମ ସାଂସ୍କୃତିକ କେନ୍ଦ୍ର’ ଭାବେ ଉଲ୍ଲେଖ କରାଯାଇଛି । ଦେଶରେ ଚାରୋଟି ଧାମ ରହିଛି । ଏଥିମଧ୍ୟରୁ ପୁରୀର ଜଗନ୍ନାଥ ଧାମ ଅନ୍ୟତମ । ଏହାରି ଭିତରେ ମମତା ସରକାର ନିଜ ରାଜ୍ୟରେ ଏକ ନବ ନିର୍ମିତ ଜଗନ୍ନାଥ ମନ୍ଦିରକୁ ଧାମ ଭାବେ ଘୋଷଣା କରିବା ଜଗନ୍ନାଥ ପ୍ରେମୀଙ୍କୁ ଧୋକ୍କା ଦେଇଛି । ଶନିବାର ବିଜେପି ବିଧାୟିକ ଅଗ୍ନିମିତ୍ରା ପାଉଲ କହିଛନ୍ତି ଯେ, ଦୀଘାର ତିଆରି ହୋଇଥିବା ବିବାଦ ଜାଣିଶୁଣି ସୃଷ୍ଟି କରାଯାଇଛି । ପାରମ୍ପରିକ ହିନ୍ଦୁମାନଙ୍କ, ବିଶେଷକରେ ଓଡ଼ିଶାର ଲୋକଙ୍କ ଭାବନାକୁ ଏହା ଆଘାତ ଦେଇଛି। ସେ କହିଛନ୍ତି, ‘ପଶ୍ଚିମବଙ୍ଗରେ ଅନେକ ଓଡ଼ିଆ ବସବାସ କରନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସେମାନଙ୍କୁ ଅପମାନ କରିଛନ୍ତି। ସେ କ’ଣ ଭାବୁଛନ୍ତି ଯେ ମୁଖ୍ୟମନ୍ତ୍ରୀ ହେବାରୁ ସେ ଯାହା ଇଚ୍ଛା କରିପାରିବେ? ସେ ଭାରତୀୟ ସମ୍ବିଧାନକୁ ଅଣଦେଖା କରି ନିଜର ନିୟମ ଲାଗୁ କରିବାକୁ ଚେଷ୍ଟା କରୁଛନ୍ତି। ପୂର୍ବରୁ ସେ ଦୁର୍ଗା ପୂଜା ପ୍ରତିମାର ଉଦଘାଟନ ଶୁଭ ସମୟ ଆସିବା ପୂର୍ବରୁ କରିଥିଲେ। ହିନ୍ଦୁ ଧର୍ମ ବିଶ୍ୱାସ ଅନୁଯାୟୀ, ଚାରୋଟି ଧାମ ହେଉଛି ବଦ୍ରୀନାଥ, ଦ୍ୱାରକା, ରାମେଶ୍ୱରମ ଓ ପୁରୀ। ମୁଖ୍ୟମନ୍ତ୍ରୀ କିମ୍ବା ଯେ କେହି ଜଗନ୍ନାଥ ମନ୍ଦିର ନିର୍ମାଣ କରିପାରନ୍ତି, କିନ୍ତୁ ତାହାକୁ ‘ଧାମ’ ନାମ ଦିଆଯାଇ ପାରିବ ନାହିଁ।’ପାଉଲ ଆହୁରି କହିଛନ୍ତି ଯେ, ପଶ୍ଚିମବଙ୍ଗରେ ହିନ୍ଦୁ ଜନସଂଖ୍ୟା ଉପରେ ଆକ୍ରମଣ ଓ ଅତ୍ୟାଚାରର ପୃଷ୍ଠଭୂମିରେ ଏଭଳି ବିବାଦ ଆହୁରି ବିରକ୍ତିକର ମନେ ହେଉଛି।ଏହି ବିବାଦ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ରାଜନୈତିକ ବିବାଦ ସୃଷ୍ଟି କରିଛି। ଓଡ଼ିଶା ସରକାରଙ୍କ ମତରେ, ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିରର ଐତିହ୍ୟ ଓ ମହତ୍ତ୍ୱକୁ ଦୃଷ୍ଟିରେ ରଖି ଦୀଘାର ମନ୍ଦିରକୁ ‘ଜଗନ୍ନାଥ ଧାମ’ ନାମକରଣ କରାଯିବା ଅନୁଚିତ ଏବଂ ଏହା ଓଡ଼ିଶାର ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ଦେଉଛି। ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ଏହି ବିଷୟରେ ତଦନ୍ତ କରୁଛି ଏବଂ ପଶ୍ଚିମବଙ୍ଗ ସରକାରଙ୍କ ନିଷ୍ପତ୍ତିର ଆଇନଗତ ଓ ସାଂସ୍କୃତିକ ଦିଗଗୁଡ଼ିକୁ ଯାଞ୍ଚ କରିବ।ଅନ୍ୟପକ୍ଷରେ, ପଶ୍ଚିମବଙ୍ଗ ସରକାର ଏହି ନାମକରଣକୁ ଏକ ସାଂସ୍କୃତିକ ପ୍ରୟାସ ଭାବେ କହି ନିଜ ନିଷ୍ପତ୍ତିକୁ ସୁରକ୍ଷା ଦେଉଛନ୍ତି।