ନୂଆଦିଲ୍ଲୀ: ବଡ ସଫଳତାର ସହ ଆଗେଇ ଚାଲିଛନ୍ତି ଅପରେସନ ସିନ୍ଦୂରର ପ୍ରତିନିଧିଦଳ । ବିଦେଶରେ ଲଗାତାର ପାକିସ୍ତାନର ପର୍ଦ୍ଦାଫାସ କରୁଛନ୍ତି । ପାକିସ୍ତାନର ମିଥ୍ୟା ଉପରୁ ପରଦା ହଟାଉଛନ୍ତି । ଏହି ପରିପ୍ରେକ୍ଷୀରେ ଏବେ ଭାରତ ବଡ କୂଟନୈତିକ ବିଜୟ ହାସଲ କରିଛି । ଶୁକ୍ରବାର କଂଗ୍ରେସ ନେତା ଶଶି ଥରୁରଙ୍କ ନେତୃତ୍ୱରେ ଏକ ସର୍ବଦଳୀୟ ସଂସଦୀୟ ପ୍ରତିନିଧି ଦଳ କଲମ୍ବିଆରେ ପାକିସ୍ତାନର ମୁଖା ଖୋଲିବା ପର ବଡ ସଫଳତା ହାସଲ କରିଛି ।
ଏବେ ଭାରତର ଗୁଣଗାନ କରିଛି କଲମ୍ବିଆ ।ଭାରତୀୟ ପ୍ରତିନିଧି ଦଳ କଲମ୍ବିଆ ସରକାର ଏବଂ ବିରୋଧୀ ଦଳ ନେତାମାନଙ୍କୁ ଭେଟିଥିଲା। ଏହି ସମୟରେ, ଆତଙ୍କବାଦୀଙ୍କ ବିରୁଦ୍ଧରେ ଅନ୍ତର୍ଜାତୀୟ କାର୍ଯ୍ୟାନୁଷ୍ଠାନ ତ୍ୱରାନ୍ୱିତ କରିବା ଏବଂ ଭାରତ ବିରୁଦ୍ଧରେ ସୀମାପାର ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇବା ଏବଂ ପୃଷ୍ଠପୋଷକତା କରୁଥିବା ଲୋକଙ୍କ ରଣନୀତିକୁ ନିର୍ଣ୍ଣାୟକ ଭାବରେ ମୁକାବିଲା କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଯାହାକୁ ନେଇ ଭାରତୀୟ ପ୍ରତିନିଧି ଦଳ କଲମ୍ବିଆର ରାଜଧାନୀ ବୋଗୋଟାରେ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଏବଂ କୂଟନୈତିକ ବୈଠକ କରିଥିଲେ। ହେଲେ ଏହି ସମୟରେ କଲମ୍ବିଆ ସରକାରଙ୍କ ବିବୃତ୍ତି ଉପରେ ନିରାଶା ପ୍ରକାଶ କରିଥିଲା ଭାରତ । କଲମ୍ବିଆ ଅପରେସନ ସିନ୍ଦୁର ସମୟରେ ପାକିସ୍ତାନରେ ନିହତ ଆତଙ୍କବାଦୀଙ୍କ ପ୍ରତି ସମବେଦନା ପ୍ରକାଶ କରିଥିଲା । ଯାହାକୁ ନେଇ କଲମ୍ବିଆ ସରକାରଙ୍କୁ ସତ୍ୟ ସହ ଅବଗତ କରାଇଥିଲା ଭାରତୀୟ ପ୍ରତିନିଧି ଦଳ । ଆଉ ଏହାପରେ ଶଶି ଥରୁରଙ୍କ ନେତୃତ୍ୱରେ ଭାରତ ଦ୍ୱାରା ସିନ୍ଦୁର ଅପରେସନରେ ପଠାଯାଇଥିବା ପ୍ରତିନିଧି ଦଳ ବଡ଼ ସଫଳତା ହାସଲ କରିଛି। ଏବେ କଲମ୍ବିଆ ଆନୁଷ୍ଠାନିକ ଭାବରେ ତା’ର ବୟାନ ପ୍ରତ୍ୟାହାର କରିନେଇଛି।ପ୍ରତିନିଧି ଦଳର ନେତୃତ୍ୱ ନେଉଥିବା ଶଶି ଥରୁର କଲମ୍ବିଆର ପାକିସ୍ତାନ ପ୍ରତି ସମ୍ବେଦନକୁ ନେଇ ଚିନ୍ତା ପ୍ରକାଶ କରି, ଭାରତ କଲମ୍ବିଆ ସରକାରଙ୍କ ପ୍ରତିକ୍ରିୟାରେ ଟିକେ ନିରାଶ ବୋଲି ମତ ଦେଇଥିଲେ । ହେଲେ ଭାରତୀୟ ପ୍ରତିନିଧି ଦଳକୁ ଭେଟିବା ପରେ, କଲମ୍ବିଆର ଉପ-ବୈଦେଶିକ ମନ୍ତ୍ରୀ ୟୋଲାଣ୍ଡା ଭିଲାଭିସେନସିଓ କହିଛନ୍ତି, ଆଜି ଆମେ ପାଇଥିବା ସ୍ପଷ୍ଟୀକରଣ ଉପରେ ଆମେ ବିଶ୍ୱାସ କରୁ। କାଶ୍ମୀରରେ କ’ଣ ଘଟିଛି ସେ ବିଷୟରେ ଆମ ପାଖରେ ଥିବା ବିସ୍ତୃତ ସୂଚନା ଆଧାରରେ, ଆମେ ଆଲୋଚନା ଜାରି ରଖିପାରିବୁ ।କଲମ୍ବିଆର ପୂର୍ବ ବିବୃତ୍ତି ପ୍ରତ୍ୟାହାର କରିବା ଉପରେ ଥରୁର କହିଛନ୍ତି, କଲମ୍ବିଆର ଉପ-ବୈଦେଶିକ ମନ୍ତ୍ରୀ ଆମକୁ ବହୁତ ବିନମ୍ରତାର ସହିତ କହିଛନ୍ତି ଯେ ସେମାନଙ୍କର ଯେଉଁ ବିବୃତ୍ତି ଉପରେ ଆମେ ଚିନ୍ତା ପ୍ରକାଶ କରିଥିଲୁ ତାହା ସେମାନେ ପ୍ରତ୍ୟାହାର କରିନେଇଛନ୍ତି ଏବଂ ସେମାନେ ଏହି ପ୍ରସଙ୍ଗରେ ଆମର ସ୍ଥିତିକୁ ସମ୍ପୂର୍ଣ୍ଣ ଭାବରେ ବୁଝନ୍ତି, ଯାହା ଆମ ପାଇଁ ବହୁତ ମୂଲ୍ୟବାନ ।ତେବେ ୨୨ ଏପ୍ରିଲରେ ପହଲଗାମ ଆକ୍ରମଣ ପରେ ଆତଙ୍କବାଦ ବିରୋଧରେ ଭାରତର ମତାମତ ଜଣାଇବା ପାଇଁ ଭାରତୀୟ ସାଂସଦମାନଙ୍କର ଏକ ସର୍ବଦଳୀୟ ପ୍ରତିନିଧି ଦଳ ବିଭିନ୍ନ ଦେଶ ଗସ୍ତ କରୁଛନ୍ତି। ସୀମାପାର ଆତଙ୍କବାଦୀ କାର୍ଯ୍ୟକଳାପ ପ୍ରତି ପାକିସ୍ତାନର ସମର୍ଥନ ଏବଂ ଆତଙ୍କବାଦ ପ୍ରତି ଭାରତର ଶୂନ୍ୟ ସହନଶୀଳତା ଆଭିମୁଖ୍ୟ ଜଣାଇବା ପାଇଁ ଥରୁର କଲମ୍ବିଆ ପ୍ରତିନିଧିମଣ୍ଡଳର ନେତୃତ୍ୱ ନେଉଛନ୍ତି। ଗୁରୁବାର କଲମ୍ବିଆ ରାଜଧାନୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଥରୁର ଆତଙ୍କବାଦ ଉପରେ ଭାରତର ମତାମତ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ, ‘ଅପରେସନ୍ ସିନ୍ଦୁର’ ବିଷୟରେ କହିଥିଲେ ଏବଂ ପହଲଗାମ ଆତଙ୍କବାଦୀ ଆକ୍ରମଣ ପ୍ରତି କଲମ୍ବିଆର ପ୍ରତିକ୍ରିୟା ଉପରେ ନିରାଶା ପ୍ରକାଶ କରିଥିଲେ। ଯାହା ପରେ ଏବେ ତାର ମତ ବଦଳାଇଛି କଲମ୍ବିଆ ।



