ଏୟାର ଇଣ୍ଡିଆ AI-171 ବିମାନ ଦୁର୍ଘଟଣାଗ୍ରସ୍ତ ; ବିମାନରେ ଥିଲେ ୧୬୯ଭାରତୀୟଙ୍କ ସହ ବିଦେଶୀ
ଗୁଜୁରାଟ: ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ । ଗୁଜୁରାଟର ଅହମ୍ମଦାବାଦରେ ୨୪୨ ଜଣ ଯାତ୍ରୀଙ୍କୁ ନେଇ ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ରାଜ୍ୟ ପୋଲିସ କଣ୍ଟ୍ରୋଲ ରୁମ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏୟାର ଇଣ୍ଡିଆ ସୂଚନା ଦେଇଛି ଯେ AI-171 ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଅହମ୍ମଦାବାଦ-ଲଣ୍ଡନ ଗାଟୱିକ୍ ଯାତ୍ରା କରୁଥିଲା ବିମାନ AI-171 ।
ଅହମ୍ମଦାବାଦରୁ ୧୩.୩୮ ଘଣ୍ଟାରେ ଉଡ଼ାଣ ଭରିଥିବା ଏହି ବିମାନଟି ବୋଇଂ ୭୮୭-୮ ବିମାନରେ ୨୪୨ ଜଣ ଯାତ୍ରୀ ଏବଂ କ୍ରୁ ସଦସ୍ୟ ଥିଲେ। ସେମାନଙ୍କ ମଧ୍ୟରୁ ୧୬୯ ଜଣ ଭାରତୀୟ ନାଗରିକ, ୫୩ ଜଣ ବ୍ରିଟିଶ ନାଗରିକ, ଜଣେ କାନାଡିଆନ ନାଗରିକ ଏବଂ ୭ ଜଣ ପର୍ତ୍ତୁଗୀଜ ନାଗରିକ ରହିଛନ୍ତି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
୯୦ ଜଣ କର୍ମଚାରୀଙ୍କୁ ନେଇ ଗଠିତ ତିନୋଟି ଜାତୀୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ (NDRF) ଦଳକୁ ଗାନ୍ଧୀନଗରରୁ ବିମାନ ଦୁର୍ଘଟଣାସ୍ଥଳକୁ ପଠାଯାଇଛି । ଭଦୋଦରାରୁ ଆହୁରି ତିନୋଟି ଦଳକୁ ପଠାଯାଉଥିବା NDRF ସୂଚନା ଦେଇଛି ।
ଦୁର୍ଘଟଣାସ୍ଥଳରୁ ଆକାଶରେ କଳା ଧୂଆଁ ଉଠୁଥିବା ଦେଖାଯାଇଥିଲା। ପ୍ରାଥମିକ ସୂଚନାନୁସାରେ ଏୟାର ଇଣ୍ଡିଆର ଏହି ବିମାନଟି ଉଡ଼ାଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ବିମାନଟି ଅହମ୍ମଦାବାଦରୁ ଲଣ୍ଡନ ଯାଉଥିଲା ଏବଂ ଅହମ୍ମଦାବାଦ ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ମେଘାନୀନଗର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।