ଅହମ୍ମଦାବାଦ: ଅହମ୍ମଦାବାଦରେ ଆଜି ଘଟିଥିବା ବିମାନ ଦୁର୍ଘଟଣାରେ ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କର ମୃତ୍ୟୁ ହୋଇଛି । ଏନେଇ ସ୍ପଷ୍ଟ କଲେ କେନ୍ଦ୍ର ମନ୍ତ୍ରୀ ସିଆର୍ ପାଟିଲ ।
ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବୋଇଂ ୭୮୭-୮ ଡ୍ରିମଲାଇନର୍ ବିମାନ (AI171) ଉଡ଼ାଣ ଭରିବାର କିଛି ମିନିଟ୍ ପରେ ମେଘାନୀ ନଗର ନିକଟସ୍ଥ ଏକ ଆବାସିକ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
ଏହି ଭୟଙ୍କର ଦୁର୍ଘଟଣାରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ବିଜୟ ରୂପାନୀଙ୍କ ସମେତ ୨୪୧ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ସୂଚନା ରହଛି । ବିମାନରେ ଯାତ୍ରୀ, ଦୁଇ ଜଣ ପାଇଲଟ ଏବଂ କ୍ରିଉ ସଦସ୍ୟଙ୍କୁ ମିଶାଇ ମୋଟ ୨୪୨ ଜଣ ଥିଲେ । ତେବେ ଦୁର୍ଘଟଣାରେ ଜଣେ ଯାତ୍ରୀ ବଞ୍ଚିଯାଇଥିବା ଖବର ଆସିଛି ।ଅହମଦାବାଦ ପୋଲିସ କମିଶନର ଜିଏସ ମଲିକ କହିଛନ୍ତି, ବିମାନର ସିଟ ନମ୍ବର 11A ରେ ଜଣେ ବଞ୍ଚିଥିବା ବ୍ୟକ୍ତିଙ୍କୁ ପାଇଛନ୍ତି ପୋଲିସ । ବ୍ୟକ୍ତିଙ୍କୁ ହସ୍ପିଟାଲରେ ରଖାଯାଇଛି ଏବଂ ତାଙ୍କର ଚିକିତ୍ସା ଚାଲିଛି । ବଞ୍ଚିଥିବା ବ୍ୟକ୍ତି ଜଣକ ହେଲେ ୪୦ ବର୍ଷୀୟ ବ୍ରିଟିଶ ନାଗରିକ ବିଶ୍ୱାସ କୁମାର ରମେଶ । ସେ କିଛି ଦିନ ପାଇଁ ତାଙ୍କ ପରିବାରକୁ ଭେଟିବାକୁ ଭାରତ ଆସିଥିଲେ ।