ରଜ ପର୍ବ ଓଡ଼ିଶାର ଏକ ଗଣପର୍ବ । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏହି ପର୍ବକୁ ପାଳନ କରନ୍ତି । ତିନିଦିନ ଧରି ଏହା ପୁରପଲ୍ଲୀରେ ବେଶ୍ ଜାକଜମକରେ ପାଳିତ ହୁଏ ।
ଗାଁ ଗହଳୀର ଲୋକମାନେ ପାଲା, ଦାସକାଠିଆ, ସଙ୍ଗୀତ ଓ ସାସ୍କୃତିକ କାର୍ଯ୍ୟକ୍ରମ କରି ବେଶ୍ ଆନନ୍ଦରେ ରଜ ପର୍ବକୁ ଉପଭୋଗ କରନ୍ତି ।ପିଠାମିଠା ସାଙ୍ଗକୁ ମିଠା ପାନ ମଧ୍ୟ ଖାଇବାର ପରମ୍ପରା ମଧ୍ୟ ରହିଛି । ଏହାକୁ ରଜ ପାନ ବୋଲି ମଧ୍ୟ କୁହାଯାଏ । ରଜ ଅବସରରେ ଭଳି କି ଭଳି ପିଠା ସହ ପୋଡପିଠା ମୁଖ୍ୟ ଆକର୍ଷଣ ପାଲଟିଥାଏ ।ଉଲ୍ଲେଖଯୋଗ୍ୟ, ଏହି ଦିନରେ ଧରଣୀମାତାକୁ ରଜସ୍ୱଳା ସ୍ତ୍ରୀ ସହିତ ତୁଳନା କରାଯାଏ। ଏହି ୩ ଦିନ ମାଟି ମା ରଜସ୍ୱଳା ହୋଇଥିବାରୁ ଧରଣୀମାକୁ କଷ୍ଟ ନହେବା ପାଇଁ ଭୂମି କଷଣ କରାଯାଏ ନାହିଁ। ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜନ କରିବା ସହ ଚାଷ କାମରୁ ତିନି ଦିନ ପାଇଁ ବିରତି ନେଇଥାନ୍ତି । ରଜରେ ପୋଡ଼ ପିଠା ଓ ପାନ ଖିଆ ସହିତ ଝିଅମାନଙ୍କ ରଜ ଦୋଳି ଓ ପୁଚି ଖେଳ ସହ ପୁଅମାନଙ୍କ ଲୁଡୁ, ତାସ, ବାଗୁଡ଼ି ଆଦି ଖେଳି ଏହି ଦିବସଟି ପାଳନ କରାଯାଇଥାଏ।