ଖଣି ଓ କଳକାରଖାନା ପାଇଁ ତାଳଚେର ଅଂଚଳବାସୀଙ୍କ ଜୀବନଜୀବିକା ଦୁର୍ବିସହ଼
ତାଳଚେର, ୧୬/୦୬ ରାଜାରାଜୁଡ଼ା ଶାସନ କାଳରେ ତାଳଚେର ଏକ ସବୁଜଭରା ପରିବେଶରେ ନିଜକୁ ଗର୍ବିତ ଅନୁଭବ କରୁଥିଲା । ଏହା ବକ୍ଷରେ ବିଭିନ୍ନ ବୃକ୍ଷ ଠାରୁ ଆରମ୍ଭ କରି ଔଷଧୀୟ ବୃକ୍ଷ ମଧ୍ୟ ରହିଥିଲା ଏଠିକାର ଅଂଚଳବାସୀ କୌଣସି ରୋଗର ଶୀକାର ହେଉଥିଲେ ଏହି ସବୁଜଭରା ଜଙ୍ଗଲ ଉପରେ ନିର୍ଭର କରୁଥିଲେ ଏବଂ ଔଷଧୀୟ ବୃକ୍ଷରୁ ଔଷଧ ସଂଗହ କରି ଆରୋଗ୍ୟ ଲାଭ କରୁଥିଲେ । ଏହି ସବୁଜଭରା ପରିବେଶ ବିଭିନ୍ନ ବନ୍ୟଯନ୍ତୁ, ପଶୁପକ୍ଷୀମାନେ ବସବାସ କରୁଥିଲେ, ପରିତାପର ବିଷୟ କାଳକ୍ରମେ ଏହି ଜଙ୍ଗଲର ଅବକ୍ଷୟ ଯୋଗୁଁ ଏଗୁଡ଼ିକର ବଂଶ ଧିରେଧିରେ ଲୋପ ପାଇବାରେ ଲାଗିଲା ଓ ଆଜି ତାଳଚେର ଅଂଚଳଟି ଏବେ ଧୂଳିଧୂଆଁରେ ଏକ ବିଷାକ୍ତ ପରିବଶେରେ ପରିଣତ ହୋଇଛି ।
ତାଳଚେର ଉପଖଣ୍ଡରେ ବିଭିନ୍ନ ଗାଁମାନ ଗଢ଼ି ଉଠିଥିଲା ଯାହାକି ସେହି ଗାଁ ଗୁଡ଼ିକ ଆଜି ନିଶ୍ଚିହ୍ନ ହୋଇପଡ଼ିଛି । ଏଥିପାଇଁ ମହାନଦୀ କୋଇଲା କମ୍ପାନୀ ତଥା କେନ୍ଦ୍ର ଓ ରାଜ୍ୟ ସରକାର ଉଭୟେ ଏଥିପାଇଁ ଦାୟୀ ବୋଲି ବିଭିନ୍ନ ମହଲରେ ଶୁଣିବାକୁ ମିଳେ । ଯେଉଁ ପ୍ରାକୃତିକ ଶୋଭାରାଜିକୁ ବସ୍ତିବାସୀନ୍ଦାମାନେ ସଂରକ୍ଷିତ କରି ରଖିଥିଲେ, ତାହା ଆଜି ସମ୍ପୂର୍ଣ୍ଣଭାବେ ଲୋପ ପାଇଲାଣି । ସବୁଜବଳୟ ଓ ବଡ଼ବଡ଼ ବୃକ୍ଷ ବଦଳରେ ପଇଁତରା ମାରୁଛନ୍ତି ୨୦-୯୦ ଡ଼୍ରଗଲାଇନ ବଡ଼ବଡ଼ ଡ଼ମ୍ଫର, ଡ଼ୋଜର, ପେଲୋଟର ଓ ବିଭିନ୍ନ ପ୍ରକାର ଉଚ୍ଚଶକ୍ତି ସମ୍ପର୍ଣ୍ଣ ମାଟିଖୋଳା ଯନ୍ତ୍ର! ଫଳରେ ତାଳଚେର ପାଲଟିଛି ପୃଥିବୀର ଅତ୍ୟନ୍ତ ବିପସଂକୁଳ ଅଂଚଳ । ଆଧୁନିକ ଓ ବୈଷୟିକ କାରିଗରୀ ଅନୁସାରେ ସହର ନିକଟସ୍ଥ କୋଇଲା ଖଣି ଠାରୁ ଆରମ୍ଭ କରି ମା’ହିଙ୍ଗୁଳାଙ୍କ ପୀଠ ପର୍ଯ୍ୟନ୍ତ ଦୀର୍ଘ ୩୦କିମି ପର୍ଯ୍ୟପ୍ତ ଅଂଚଳରେ ପ୍ରାୟ ୧୦ରୁ ଉର୍ଦ୍ଧ୍ୱ ପୋଖରୀଆ କୋଇଲା ଖଣି (ଓପନ୍କାଷ୍ଟ) ଏମସିଏଲ ଦ୍ୱାରା ପରିଚାଳିତ ହେଉଛି । ସେଥି ମଧ୍ୟରୁ ବଲଣ୍ଡା କୋଇଲା ଖଣି ଶେଷ ହୋଇ ଯାଇଥିବାରୁ କୋଇଲା ଉତ୍ପାଦନ ବନ୍ଦ କରିଦିଆଯାଇଛି । ତାଳଚେରରେ କୋଇଲା ଗଚ୍ଛିତ ଭଣ୍ଡାର ଅଧିକ ଥିବା ହେତୁ ଏମସିଏଲ କୋଇଲା କମ୍ପାନୀ, କୋଲଇଣ୍ଡିଆ ଓ କେନ୍ଦ୍ର ସରକାରଙ୍କ ଏକ ଲାଭଦାୟକ ଏବଂ ଅର୍ଥ ଆଦାୟକାରୀ ଅଂଚଳଭାବେ ସୁନାମ ଅର୍ଜନ କରିଛି । ଏହି ଗଚ୍ଛିତ କୋଇଲାକୁ ହାତେଇବା ପାଇଁ ଏମସିଏଲ ତଥା କୋଲଇଣ୍ଡିଆ କର୍ତୁପକ୍ଷ ଯେକୌଣସି ପ୍ରକାରରେ ସନ୍ତୁଷ୍ଟ କରାଇ ଜମି ଅଧିଗ୍ରହଣ କରିବା, ଗଛକାଟିବା, ଜଙ୍ଗଲ ନଷ୍ଟକରିବା, ବସ୍ତିବାସୀନ୍ଦାଙ୍କ ଘର ଭାଙ୍ଗିବା, ଧୂଳିଧୂଆଁରେ ଲୋକଙ୍କୁ ରହିବାକୁ ବାଧ୍ୟ କରାଇବା ସହିତ ଚାଷବାସକୁ ଉଜାଡ଼ି ଦେବା ସହିତ ଲୋକମାନଙ୍କ ଜୀବନ ଜୀବିକାକୁ ନେଇ ଖେଳଖେଳିବା ଏକ ଅପଚେଷ୍ଟା ନୁହେଁକି? ଦେଶର ଏକ ଚତୁର୍ଥାଂଶ କୋଇଲା ତାଳଚେରରେ ରହିଥିବା ହେତୁ ଲିଙ୍ଗରାଜ, ଅନନ୍ତ, ଭୂବନେଶ୍ୱରୀ, ବଲଣ୍ଡା, ଜଗନ୍ନାଥ, ଭରତପୁର, ବଳରାମ, କଳିଙ୍ଗ, ହିଙ୍ଗୁଳା, ନନ୍ଦିରା, କଣିହାଁ, ଦେଉଳବେଡ଼ା, ହାଣ୍ଡିଧୂଆଁ ଓ ନଟରାଜ କୋଇଲା ଖଣି ପ୍ରତିଷ୍ଠା ହୋଇପାରିଛି । ଏସବୁ କୋଇଲା ଖଣି ପାଇଁ ହଜାର ହଜାର ଏକର ଚାଷଜମି, ଜଙ୍ଗଲଜମି ଓ ବିଭିନ୍ନ ଗ୍ରାମର ବସ୍ତି ଗୁଡ଼ିକ ଏମସିଏଲ କର୍ତୁପକ୍ଷ ଅଧିଗ୍ରହଣ କରି ସାରିଛନ୍ତି ।
ସେହିପରି ସାଧରଣ ଜନତାଙ୍କ ପାଇଁ ଉଦ୍ଦିଷ୍ଟଥିବା ଗ୍ରାମ୍ୟ ରାସ୍ତା, ତାଳଚେର ସଦର ମହୁକୁମାର ରାସ୍ତ, ପୋଖରୀଆ କୂଅ, ଶ୍ମଶାନଘାଟ, ଗୋଚର ଜମି, ମନ୍ଦିର ଏବଂ ଗ୍ରାମ୍ୟ ଜୀବନ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ସ୍ଥାନୀୟ ଲୋକ ଜାତୀୟ ସ୍ୱାର୍ଥପାଇଁ ସବୁକିଛି ଉତ୍ସର୍ଗୀକୃତ କରିଥିବା ବେଳେ ପ୍ରତିବଦଳରେ ପାଇଛନ୍ତି ଗଦାଗଦା କୋଇଲା ଗୁଣ୍ଡ, ଉଚ୍ଚତାମାନ ଉତାପ, ଦୂଷିତ ଜଳ, ବାୟୁ ପ୍ରଭୃତି । ପୋଖରୀଆ କୋଇଲା ଖଣିରୁ କୋଇଲା ଖନନ ପରେ ସେସବୁ ବିସ୍ତୃତ ଅଂଚଳରେ ମାଟି ସମତଳ ନକରାଯାଇ ଗୋଟିଏ ଗୋଟିଏ ବଡ଼ କୃତ୍ରୀମ ପାହାଡ଼ ଓ ହ୍ରଦ ସୃଷ୍ଟି କରାଯାଇଛି । ଫଳରେ ଏହି କୃତ୍ରିମ ହ୍ରଦ ଅନେକ ଧନଜୀବନ ନଷ୍ଟ ହେଉଥିବାର ନଜିର ମଧ୍ୟ ରହିଛି । ଅନ୍ୟ ପକ୍ଷରେ କୋଇଲା ଧୂଳିଧୂଆଁ ଖାଇ ତାଳଚେର ଅଂଚଳରେ ୯୦% ଲୋକଙ୍କୁ ଥଣ୍ଡା, କାଶ, ଜ୍ୱର, ଛାତୀଯନ୍ତ୍ରଣା ତଥା ଫୁସ୍ଫୁସ୍ ଜନିତ ରୋଗ ଏବଂ ବିଭିନ୍ନ ମାରାତ୍ମକ ରୋଗରେ ଆକ୍ରାନ୍ତ ହେଲେଣି । ଏଥବପାଇଁ କୋଇଲା ଖଣି କର୍ତୁପକ୍ଷ ମାନବିକତା ଦୃଷ୍ଟିରୁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇବା ତ ଦୂରର କଥା ଆହା ଟିକେ କରିବାକୁ କାହା ପାଖରେ ଟିକେ ନିଘା ନାହିଁ । ଅପରପକ୍ଷେ ତାଳଚେର କୋଇଲାକୁ ଆଖିଆଗରେ ରଖି ଏନଟିପିସି କଣିହାଁ ଏନଟିପିସି ବୃହତ ବିଦ୍ୟୁତ୍ ପ୍ରକଳ୍ପ, ତାଳଚେର ଥର୍ମାଲ ତଥା ବିଭିନ୍ନ ତଥା ବିଭିନ୍ନ ଘରୋଇ ବଡ଼ବଡ଼ ବିଦ୍ୟୁତ୍ କମ୍ପାନୀ ହଜାର ହଜାର ଏକର ଜମିରେ ପ୍ରକଳ୍ପମାନ ପ୍ରତିଷ୍ଠା କରି ତାଳଚେର ପରିବେଶକୁ ବିକୃତ କରିପକାଇଲେଣି । ଏ ସମସ୍ତ ଖଣି ଏବଂ କଳକାରଖାନା ଯୋଗୁଁ ସମଗ୍ର ତାଳଚେର ଆଜି ପଦାରେ ପରିଣତ ହେଲାଣି । ଯେତିକି ପରିମାଣରେ ଜଙ୍ଗଲ ନଷ୍ଟ କରାଯାଉଛି ସେହି ଅନୁପାତରେ ନୂତନ ଜଙ୍ଗଲ ସୃଷ୍ଟି ପାଇଁ କାହାର ନଜର ନାହିଁ କିମ୍ବା ଆଗ୍ରହ ପ୍ରକାଶ ମଧ୍ୟ ପାଉନାହିଁ । ବ୍ରାହ୍ମଣୀ ନଦୀର ଜଳ ବିଷାକ୍ତ କୋଇଲା ଗୁଣ୍ଡ, ରାସାୟନିକ ଦ୍ରବ୍ୟ ଏବଂ ବର୍ଜ୍ୟବସ୍ତୁ ଚାଡ଼ିଦେଉଥିବାରୁ ଏହାକୁ ଏକ ଦୂଷିତ ନଦୀରେ ପରିଣତ ହେଲାଣି । ବେଳ ଥାଉଥାଉ ଏମସିଏଲ ତଥା କେନ୍ଦ୍ର ସରକାର ଉତ୍ପାଦନ ଶେଷ ହୋଇଯାଉଥିବାରୁ ଖଣିର ହଜାର ହଜାର ଏକର ଖଣି ଜମିରେ କୃତ୍ରିମ ପାହାଡ଼ ସୃଷ୍ଟି କରାଯାଇଥିବା ମାଟିକୁ ଭର୍ତିକରି ସମତୁଳ କରାଯିବା ପାଇଁ ତତ୍ପରତା ପ୍ରକାଶ କଲେ ବିସ୍ତାପିତ ମାନେ ପୁନଃ ଜୀବନଜୀବିକା ବଂଚାଇବାରେ ରାହା ପାଇପାରନ୍ତେ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି ।