ବର୍ଣ୍ଣାଳୀ ସାହିତ୍ୟ ସଂସଦ ତରଫରୁ ରଜ ମହୋତ୍ସବ
ତାଳଚେର, ୧୬/୦୬ ତାଳଚେର ଅଗ୍ରଣୀ ସାହିତ୍ୟ ଏବଂ ସାଂସ୍କୃତିକ ଅନୁଷ୍ଠାନ ବର୍ଣ୍ଣାଳୀ ସାହିତ୍ୟ ସଂସଦ ତରଫରୁ ରଜ ମହୋତ୍ସବ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ମାଟି ମା କୁ ସମ୍ମାନ, ଓଡିଆଙ୍କ ପରମ୍ପରା ଐତିହ୍ୟ ତଥା କୃଷକ ମାନଙ୍କ ଏହି ଶୁଭ ଦିବସକୁ ଉପଯୁକ୍ତ ସମ୍ମାନ ସ୍ୱରୂପ ରଜ ମହୋତ୍ସବ ପାଳନ କରାଯାଇଥିଲା । ତାଳଚେରର ସମସ୍ତ ସାହିତ୍ୟିକ, ବୁଦ୍ଧିଜୀବୀ, ଲେଖକ ଲେଖିକା ତଥା ବିଭିନ୍ନ ଅଂଚଳରୁ ଶୁଭେଚ୍ଛୁ ମାନଙ୍କର ମିଳନ ହୋଇଥିଲା ଏହି ମହୋତ୍ସବରେ । ପ୍ରାରମ୍ଭରେ ଜଗତର ନାଥ ଜଗନ୍ନାଥଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଜଗତର କଲ୍ୟାଣ ପାଇଁ ପୂଜାର୍ଚ୍ଚନା କରାଯାଇଥିଲା । ବର୍ଣ୍ଣାଳୀ ସାହିତ୍ୟ ସଂସଦର କାର୍ଯ୍ୟକାରୀ ସଭାପତି ଜିତେନ୍ଦ୍ର ମହାପାତ୍ର ପ୍ରାରମ୍ଭରେ ସ୍ୱାଗତ ଭାଷଣ ସହ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଅନୁଷ୍ଠାନର ସଭାପତି ଯଦୁମଣି ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ମହୋତ୍ସବରେ ମୁଖ୍ୟଅତିଥି ଭାବରେ ଏସ୍.ଏସ୍. ହସପିଟାଲ୍ ର ସତ୍ୱାଧିକାରୀ ତଥା ତାଳଚେର ରୋଟାରୀ କ୍ଲବର ସଭାନେତ୍ରୀ ଡ. ସସ୍ମିତା ସାହୁ ଯୋଗଦେଇ ରଜ ସହିତ ନାରୀ ମାନଙ୍କ ସଂପର୍କ ଏବଂ ମହିଳା ମାନଙ୍କର ବିକାଶ ପାଇଁ ବିଭିନ୍ନ ଦିଗ ବିଷୟରେ ଆଲୋକପାତ କରିଥିଲେ । ସାଧାରଣ ସଂପାଦିକା ରତ୍ନପ୍ରଭା ବାଇ ବିବରଣୀ ପାଠ କରିଥିଲୋ ବେଳେ ବହୁ ଲେଖକ ସେମାନଙ୍କର ଭାବ ଉଦ୍ଦିପକ ଲେଖାମାନ ପାଠ କରିଥିଲେ । ଏହି ଅବସରରେ କବି ଅରୁଣ ଗଡନାୟକ ଏବଂ କରୁଣାକର ବାଇ ଯୁଗଳ ବନ୍ଦୀର ପୁରୁଣା ଢ଼ଗ ଢ଼ମାଳୀ ରଜ ଗୀତ ମାନ ଗାନ କରିଥିଲେ । ନାଟ୍ୟ ନିର୍ଦ୍ଦେଶକ ମୁକୁନ୍ଦ ଶତପଥି ଏବଂ ଦିଗଲ ମିଶ୍ରଙ୍କ ସଂଯୋଜନାରେ ଏକ ମିନି ନାଟକ ଏବଂ ଦୋଳି ଗୀତ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଉପ ସଭାନେତ୍ରୀ କଳ୍ପନା ବୋଇତି ଇଂରାଜୀ କବିତାକୁ ବର୍ଣ୍ଣନା କରିଥିଲେ । ଏହି ମହୋତ୍ସବରେ ରାଜିବ ସ୍ୱାଇଁ, ସୁରଜନ ପାତ୍ର, ବିଣାପାଣୀ ସାହୁ, ଅନୁପମା ପ୍ରଧାନ, କଳ୍ପନା ନାଏକ, ସସ୍ମିତା ମିଶ୍ର, ଅନିତା ପାଣି, ସଂଧ୍ୟାରାଣୀ ପତି, ସୁଶୀଲ ପ୍ରଧାନ, ଦିପ୍ତିରାଣୀ ସିଂ, ଧିରା ଦାସ, ସୁନିଲ ସଂ, ସବିତା ପରିଡା, ସୁଜାତା ପଣ୍ଡା ପ୍ରମୁଖ ମହୋତ୍ସବରେ ଅଂଶ ଗ୍ରହଣ ପୂର୍ବକ କବିତାପାଠ, ନାଟକ, ଢ଼ଗ ଢ଼ମାଳୀ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଶେଷରେ କରୁଣାକର ବାଇ ଧନ୍ୟବାଦ ଅର୍ପଣ କରିଥିଲେ ।