ସାପ କାମୁଡ଼ାରେ ବରିଷ୍ଠ ନାଗରିକ ମୃତ
ତାଳଚେର, ୧୭/୦୬ ତାଳଚେର ବ୍ଲକ ଗୋପାଳପ୍ରସାଦ ଥାନା ଅନ୍ତର୍ଗତ କଳମଛୁଇଁ ଗ୍ରାମର ବରିଷ୍ଠ ନାଗରିକ ରଘୁନାଥ ସାହୁ(୮୯ ବର୍ଷ)ଙ୍କୁ ଏକ ବିଷାକ୍ତ ଗୋଖର ସାପ କାମୁଡ଼ି ଦେବାରୁ ତାଙ୍କର ମୃତ୍ୟୁ ହୋଇଯାଇଛି ।

ସୂଚନାରୁ ପ୍ରକାଶ ଯେ ସୋମବାର ସେ ମଧ୍ୟାହ୍ନ ଭୋଜନ କରି ନିଜ ଦୋକାନ ଘରେ ବିଶ୍ରାମ କରୁଥିଲେ । ମାତ୍ର ସେଠାରେ ତାକୁ ଏକ ଗୋଖର ସାପ ଦଂଶନ କରିଥିଲେ ମଧ୍ୟ ସେ ଜାଣି ପାରିନଥିଲେ ବୋଲି ପରିବାର ସୂତ୍ରରୁ ଜଣାପଡ଼ିଛି । ଅପରାହ୍ନ ସାଢେ ୩ଟା ବେଳକୁ ତାଙ୍କୁ ଅସୁସ୍ଥ ଲାଗିବାରୁ ପରିବାର ଲୋକ ଅନୁଗୋଳ ସରକାରୀ ଡାକ୍ତରଖାନାକୁ ନେଇଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆଜି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା । ଗ୍ରାମ ଶ୍ମଶାନରେ ତାଙ୍କ ଶେଷ କୃତ୍ୟ ସଂପନ୍ନ କରାଯାଇଛି ।