ରାୟଗଡା: ରାୟଗଡା ଜିଲ୍ଲା ପ୍ରଶାସନର ସଚେତନତା କାମ ଦେଉନାହିଁ । ଦିନକୁ ଦିନ ଅନ୍ଧବିଶ୍ୱାସ କବଳିତ ହୋଇ ପଡିଛି ରାୟଗଡା ଜିଲ୍ଲା । ଅନ୍ଧବିଶ୍ୱାସ କୁପରିଣାମ ଭଗୁଛନ୍ତି ନିରୀହ ଆଦିବାସୀ ସମ୍ପ୍ରଦାୟ । ଜିଲ୍ଲାରେ କେତେବେଳେ ଗୁଣିଗାରେଡିକୁ ନେଇ ଅନେକ ଘଟଣା ଘଟିଥିବାବେଳେ ଅନେକ କାରାଗାରରେ ଦଣ୍ଡ ଭଗୁଥିବା ନଜିର ରହିଛି । ପ୍ରଶାସନ ତରଫରୁ ଜାତିପ୍ରଥା ଅନ୍ଧ ବିଶ୍ୱାସରୁ ଦୁରେଇ ରହିବାକୁ ତୁହାକୁତୁହା ପଥପ୍ରାନ୍ତ ନାଟକ, ବୈଠକ ମାଧ୍ୟମରେ କାର୍ଯ୍ୟକ୍ରମମାନ ଯାରିରହିଥିଲେ ସୁଦ୍ଧା ଦୂର ହୋଇପାରୁନାହିଁ ଅନ୍ଧବିଶ୍ୱାସ ।
ଏହି ଆଦିବାସୀଙ୍କ ପାଖକୁ ପହଞ୍ଚିପାରୁ ନାହିଁ ଏହି ସଚତନ ବାର୍ତ୍ତା ଯାହାକି ଜିଲ୍ଲାରେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ମଣିଷ ମଣିଷକୁ ରାକ୍ଷସର ରୂପ ନେଉଛି । ଯାହାଦ୍ୱାରା ସଚେତନ କାର୍ଯ୍ୟକ୍ରମ ଫେଲ ମାରିଥିବା ପ୍ରମାଣ କରିଛି ଏହି ଘଟଣା ।ରାୟଗଡା ଜିଲ୍ଲା ସର୍ବଦା ଚର୍ଚ୍ଚାରେ ରହୁଛି । କେତେବେଳେ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ହେଉ ବା ଖଣିଜ ସଂପଦ ସୁରକ୍ଷା ପାଇଁ ହେଉ କିନ୍ତୁ ଏପରିକି ଏକ ଘଟଣା ଘଟିଛି ଯାହା ସମ୍ପୂର୍ଣ୍ଣ ଭିନ୍ନ ଅଟେ । କାଶୀପୁର ବ୍ଲକ ବାଇଗଣଗୁଡ଼ା ଗ୍ରାମର ଜଣେ ଝିଅ ଅନ୍ୟ ଏକ ସମ୍ପ୍ରଦାୟର ବ୍ୟକ୍ତିଙ୍କୁ ତା ମନର ମଣିଷକୁ ଜୀବନ ସାଥୀ ରୁପେ ଗ୍ରହଣ କରିଥିବାରୁ ଶୁଦ୍ଧିକ୍ରିୟା କଲେ ଗ୍ରାମବାସୀ ।ଜଣେ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଝିଅ ଜଣେ ଅନୁସୂଚିତ ଜାତି ବର୍ଗର ପୁଅକୁ ଭଲ ପାଉଥିଲେ। ପରବର୍ତ୍ତୀ ସମୟରେ ପରିବାରବର୍ଗଙ୍କ ଅନିଚ୍ଛା ସତ୍ତ୍ବେ ଉକ୍ତ ଯୁବକଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଯାହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଥିଲେ । ଜାତିରେ ରହିବାକୁ ହେଲେ ପରିବାରବର୍ଗଙ୍କୁ ତାଙ୍କ ପରମ୍ପରା ଅନୁଯାୟୀ ଛେଳି, କୁକୁଡ଼ା, ଘୁଷୁରି ଆଦି ବଳି ଦେବା ସହିତ ମୁଣ୍ଡନ କରିବାକୁ କହିଥିଲେ ଗ୍ରାମବାସୀ ।ଏହି କାର୍ଯ୍ୟ କରିବା ପାଇଁ ପରିବାରବର୍ଗଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡ଼ିଥିଲା । ଗୋଟିଏ ପଟେ ଜାତିଆଣ ଭେଦଭାବ ନ ରଖି ସମସ୍ତେ ମିଳିମିଶି ରହିବାକୁ ସଚେତନତା ହେଉଥିଲେ ମଧ୍ୟ ଆଜି ବି ଜୀବିତ ରହିଛି ପୁରୁଣା ପ୍ରଥା ଓ ପରମ୍ପରା । ତେବେ ଏନେଇ କାଶୀପୁର ବିଡିଓ ବିଜୟ ସୋଏଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଏନେଇ ଖବର ମିଳିବା ପରେ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀଙ୍କୁ ସେଠାକୁ ଯାଇ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତ ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ବିଡିଓ ବିଜୟ କହିଛନ୍ତି ।



