ଭୂବନେଶ୍ବର: ଆସନ୍ତା ୨୫ରେ ସମ୍ବିଧାନ ହତ୍ୟା ଦିବସ ପାଳିବେ ରାଜ୍ୟ ସରକାର । ଜରୁରୀକାଳୀନ ସ୍ଥିତିର ୫୦ ବର୍ଷ ପୂର୍ତ୍ତି ଅବସରରେ ପାଳିବେ ସରକାର । ଏନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ । ଭୁବନେଶ୍ବର ରେଳ ଅଡିଟୋରିଅମରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହେବ ।
ଓଡିଶାର ସମସ୍ତ ଜିଲ୍ଲାରୁ ଜନସାଧାରଣ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ । ଜରୁରୀକାଳୀନ ସ୍ଥିତିର ସ୍ବତନ୍ତ୍ର ସେନାନୀଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ସୂଚନା ରହିଛି । ସ୍କୁଲ ଓ କଲେଜ ସ୍ତରରେ ବକ୍ତୃତା, କୁଇଜ୍, ପ୍ରବନ୍ଧ ପ୍ରତିଯୋଗିତା ହେବ । ସେହିପରି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ମଧ୍ୟ କଲେଜ ଓ ବିଶ୍ବବିଦ୍ୟାଳୟ ସ୍ତରରେ କର୍ମଶାଳା, ବକ୍ତୃତା ଓ ସେମିନାର ଆୟୋଜନ କରାଯିବ । ଏହି ଉପଲକ୍ଷେ କ୍ରୀଡା ବିଭାଗ ପକ୍ଷରୁ ଶୋଭାଯାତ୍ରାର ଆୟୋଜନ କରାଯିବ । ସ୍ବତନ୍ତ୍ରତା ସେନାନୀ ମାନଙ୍କୁ ସମ୍ମାନିତ କରିବା ଉପଲକ୍ଷେ ଆୟୋଜନ ହେଉଥିବା ଏଭଳି ଏକ ମହତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ଉପସ୍ଥିତ ସମସ୍ତ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି ।ଉତ୍ସବର ବ୍ୟାପକ ପ୍ରଚାର ପ୍ରସାର ପାଇଁ ସୂଚନା ଓ ଲୋକ ସମ୍ପର୍କ ବିଭାଗକୁ ଦାୟିତ୍ବ ଦିଆଯାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗକୁ ପ୍ରଦର୍ଶନୀ ଓ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନର ମଧ୍ୟ ଦାୟିତ୍ବ ଦିଆଯାଇଛି ।୧୯୭୫ ମସିହା ଜୁନ ୨୫ ତାରିଖରେ ଲାଗୁ ହୋଇଥିଲା ଜରୁରୀକାଳୀନ ପରିସ୍ଥିତି ।