ପୂରୀ:ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁ ସ୍ନାନ ମଣ୍ଡପରେ ସୁବାସିତ ଜଳରେ ସ୍ନାନ କଲାପରେ ଜ୍ବରରେ ପୀଡିତ ହୋଇ ଅଣସରରେ ଅଛନ୍ତି । ଅଣସର ଘରେ ହୋଇଥିଲା ଚତୁର୍ଦ୍ଧାମୂର୍ତ୍ତିଙ୍କ ଗୁପ୍ତ ସେବା । ଦଶମୂଳ ମୋଦକ ସେବନ ପରେ ଚତୁର୍ଦ୍ଧାମୂର୍ତ୍ତି ଏବେ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ଆଜି ଦ୍ୱାଦଶୀ ତିଥିରେ ମହାପ୍ରଭୁଙ୍କ ସୁସ୍ଥତାର ଖବର ଦଇତାପତି ସେବକ, ପତିମହାପାତ୍ର ସେବକମାନେ ଶ୍ରୀନଅର ଆସି ଗଜପତି ମହାରାଜାଙ୍କୁ ଦେଇଛନ୍ତି ।
ରାଜପ୍ରାସାଦ ବିଜେ ନୀତି ଭାବେ ପ୍ରଥମ ଖବର ନେଇ ରାଜନଅର ଯାଇଛନ୍ତି ସେବାୟତ । ଶ୍ରୀମନ୍ଦିରରେ ଭୋଗମ ଣ୍ଡପ ପରେ ଏହି ସେବକ ମାନେ ରୂପା ଥାଳିରେ ମହାପ୍ରଭୁଙ୍କ ଚନ୍ଦନ, କରାଳ ଓ ପାଟଡୋର ସାଙ୍ଗରେ ଧରି ଏକ ପଟୁଆରରେ ଶ୍ରୀନଅର ଆସିଥିଲେ । ଶ୍ରୀନଅର ପହଞ୍ଚିବା ପରେ ଏସବୁ ଦିବ୍ୟ ପଦାର୍ଥକୁ ଗଜପତିଙ୍କୁ ଭେଟି କରି ଦିଆଯାଇଥିଲା ସୁସମ୍ବାଦ ।ଗତକାଲି ଏକାଦଶୀ ତିଥିରେ ଦଶମୂଳ ମୋଦକ ଲାଗି ହେବା ପରେ ସୁସ୍ଥ ହେଉଛନ୍ତି ଶ୍ରୀଜିଉ । ଦଶମୀରେ ଅଣସର ଘରେ ଚକାରେ ବିଜେ ହୋଇଛନ୍ତି ଶ୍ରୀବିଗ୍ରହ ।ପଞ୍ଚମୀରେ ଫୁଲୁରି ତେଲ ଲାଗି ପରେ ଷଷ୍ଠୀରୁ ନବମୀ ଧରି ଶ୍ରୀଅଙ୍ଗରେ ଓଷ ଲାଗି ପରେ ଧୀରେ ଧୀରେ ଜ୍ୱରରୁ ଉପଶମ ହୋଇଛନ୍ତି ମହାପ୍ରଭୁ ।