ଭଟଲି ଦଧିବାମନଙ୍କ ରଥଯାତ୍ରା ପାଇଁ ପ୍ରଶାସନିକ ପ୍ରସ୍ତୁତି ବୈଠକ

ବରଗଡ:୨୩/୬(ପବିତ୍ର ମେହେର) ପଶ୍ଚିମ ଓଡିଶାର ଶ୍ରୀକ୍ଷେତ୍ର ଭଟଲି ଧାମ ର ଆରାଧ୍ଯ ଦେବତା ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ରଥଯାତ୍ରା ଆସନ୍ତା ଜୁନ ୨୭ତାରିଖରେ ଅନୁଷ୍ଠିତହେବ।ଜୁଲାଇ ୫ ତାରିଖ ବାହୁଡା ଯାତ୍ରା ,ଜୁଲାଇ ୬ତାରିଖ ଆଷାଢ ଶୁକ୍ଳ ପକ୍ଷ ଏକାଦଶୀ ତିଥିରେ ରଥ ରେ ମହାପ୍ରଭୁଙ୍କ ସୁନାବେଶ,୭ତାରିଖ ଅଧରପଣା ଓ ୮ ତାରିଖ ରେ ମହାପ୍ରଭୁଙ୍କ ନିଳାଦ୍ରୀ ବିଜେ ଉତ୍ସବ ଅନୁଷ୍ଠିତ ହେବ ।ଅନ୍ୟ ବର୍ଷ ପରି ଏବର୍ଷ ମଧ୍ଯ ପ୍ରଶାସନିକ ସ୍ତରରେ ସୋମବାର ସଂଧ୍ଯାରେ ଭଟଲି ବ୍ଲକ ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ଶ୍ରୀ ପ୍ରସନ୍ନ କୁମାର ପାଣ୍ଡେ ଙ୍କ ଅଧକ୍ଷତାରେ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ରଥଯାତ୍ରା ର ସଫଳ ଆଯୋଜନ ନିମନ୍ତେ ପ୍ରଶାସନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକ ରେ ମୁଖ୍ଯତଃ ଟ୍ରାଫିକ ସମସ୍ୟାର ସମାଧାନ,ବିଦ୍ୟୁତ ସୁପରିଚାଲନା, ପାଣି ବ୍ୟବସ୍ଥା, ପାର୍କିଙ୍ଗର ସୁବ୍ୟବସ୍ଥା ତଥା ବଡଦାଣ୍ଡରେ ଦିନ ବାରଟାରୁ ରାତ୍ରି ଦଶଟା ପର୍ଯ୍ୟନ୍ତ ଯାନବାହନ ଚଳାଚଳ ବନ୍ଦ,ଯାନବାହନ ନରଖିବା ଓ ବଡଦାଣ୍ଡ ତଥା ମାଉସୀ ମା ମନ୍ଦିର ପରିସରରେ ଆଇଁଷ ସଂପୂର୍ଣ୍ଣ ରୂପେ ବାରଣ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା ।ରଥଯାତ୍ରା ପରିଚାଳନା କମିଟିର ଆବାହକ ତହସିଲଦାର ଶ୍ରୀ ରାମକୃଷ୍ଣ ମିଶ୍ର ସମସ୍ତଙ୍କୁ ସ୍ବାଗତ କରିଥିଲେ।ଅନ୍ୟମାନଙ୍କ ମଧ୍ଯରେ ଅତିରିକ୍ତ ଉପ ଜିଲ୍ଲାପାଳ ମଦନଲାଲ ପଣ୍ଡା , ଏସ ଡି ପିଓ ପଦାରବିନ୍ଦ ତ୍ରିପାଠୀ, ଭଟଲି ବିଡିଓ ପ୍ରମୋଦ ଚନ୍ଦ୍ର ମେହେର,ଭଟଲି ଥାନା ଅଧିକାରୀ ବିଭୁତିଭୁଷଣ ଦଲେଇ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିବା ବେଳେ ରଥଯାତ୍ରା ପରିଚାଳନା କମିଟିର ସଭାପତି ମୋତିଲାଲ ବନଛୋର ଓ ସମସ୍ତ ସଦସ୍ଯ, ନୁତନ ଟ୍ରଷ୍ଟ ବୋର୍ଡର ସମସ୍ତ ସଦସ୍ଯ, ପୂର୍ବତନ ସରପଞ୍ଚ ପ୍ରହଲ୍ଲାଦ ପଧାନ ତଥା ବିଭିନ୍ନ ପ୍ରେସ ମିଡିଆର ସଦସ୍ୟ ଆଲୋଚନାରେ ଅଂଶଗ୍ରହଣ କରି ରଥଯାତ୍ରାକୁ କିପରି ଭାବରେ ସୁପରିଚାଳନା କରାଯିବ ସେ ସମ୍ପର୍କରେ ମତାମତ ଦେଇଥିଲେ।
