କେନ୍ଦୁଝର ଜିଲ୍ଲାରେ ଭାଲୁ ଆକ୍ରମଣରେ ବୃଦ୍ଧ ମୃତ
କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଭାଲୁ ଆକ୍ରମଣରେ ବୃଦ୍ଧ ମୃତ । ୩ଟି ଭାଲୁ ଏକ ସଙ୍ଗେ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ହିଁ ବୃଦ୍ଧଙ୍କର ଶୋଚନୀୟ ମୃତ୍ୟୁ ଘଟିଥିଲା । କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଘଟଗାଁ ରେଞ୍ଜ କୋଳିପଶି ଗାଁ ନିକଟ ଅଟେଇ ଜଙ୍ଗଲରେ । ଆଜି ସକାଳୁ ଗାଁର ନୁନୁ ନାଏକ ନିଜ ଛେଳି ପାଇଁ ଡାଳ,ପତ୍ର ଆଣିବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିବା ବେଳେ ତାଙ୍କୁ ହଠାତ୍ ୩ଟି ଭାଲୁ ଆକ୍ରମଣ କରିଥିଲେ । ଫଳରେ ତାଙ୍କର ମୁଣ୍ଡ ଓ ପେଟରେ ଗଭୀର ଆଘାତ ଲାଗିଥିଲା । ନିକଟରେ ଜଙ୍ଗଲକୁ ଛତୁ ଗୋଟାଇବାକୁ ଯାଇଥିବା ଲୋକେ ତାଙ୍କର ଚିତ୍କାର ଶୁଣି ଘଟଣାସ୍ଥଳକୁ ଆସିଥିଲେ । ହେଲେ, ସେତେବେଳକୁ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ଓ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ