ମହାପ୍ରଭୁ ଦଧିବାମନଙ୍କ ନବଯୌବନ ବେଶ ଓ ନେତ୍ରୋତ୍ସବ

ଭଟଲି ୨୬/୬ (ଅଭିମନ୍ୟୁ ପଧାନ):- ସକାଳ ହେଲେ ପ୍ରଭୁ ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ରଥଯାତ୍ରା । ଚଳଚଞ୍ଚଳ ଭଟଲି ଅଞ୍ଚଳ । ନୂଆଁ ରଙ୍ଗରେ ନବବଧୂ ପରି ସଜାଇ ହୋଇଛି ଭଟଲି ଶ୍ରୀ ମନ୍ଦିର । ତେବେ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ନବଯୌବନ ବେଶ ଗୁରୁବାର ଶ୍ରୀ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି । ମହାପ୍ରଭୁ ଶ୍ରୀ ଶ୍ରୀ ଦଧିବାମନ ପନ୍ଦର ଦିନ ଧରି ଅଣସରରେ ଜ୍ୱରାକ୍ରାନ୍ତ ହୋଇ ଅସୁସ୍ଥ ରହିବା ପରେ ଦିବ୍ୟ ଔଷଧି ସେବନ କରି ସୁସ୍ଥ ହେବା ସହିତ ଭକ୍ତମାନଙ୍କୁ ନବଯୌବନ ବେଶରେ ଦର୍ଶନ ଦେଇଥିଲେ । ଏହି ବେଶ ଦର୍ଶନ କଲେ ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ସେଥିପାଇଁ ମହାପ୍ରଭୁଙ୍କ ଏହି ଦିବ୍ୟ ବେଶକୁ ଦର୍ଶନ କରିବା ପାଇଁ ସହସ୍ରାଧିକ ଭକ୍ତଙ୍କ ସୁଅ ଛୁଟିଥିଲା । ଏହି ଅବସରରେ ଭୋର୍ରୁ ମହାପ୍ରଭୁଙ୍କ ଦୈନିକ ପୂଜାନୀତି ସମାପନ ପରେ ମହାପ୍ରଭୁ ଅଣସର ପିଣ୍ଡିରୁ ବାହାରିଥିଲେ । ସେଠାରେ ତାଙ୍କୁ ଏହି ବେଶରେ ସଜ୍ଜିତ କରାଯାଇଥିଲା । ତେବେ ଶୁକ୍ରବାର ମହାପ୍ରଭୁ ମାଉସୀ ମାଁ ମନ୍ଦିରକୁ ବିଜେ କରିବା ପାଇଁ ରଥଯାତ୍ରାରେ ବାହାରିବାର କାର୍ଯ୍ୟକ୍ରମ ରହିଥିବାବେଳେ ସକାଲୁ ଦୈନିକ ପୂଜାନୀତି ସରିବାପରେ ପ୍ରାୟ୧୦ଘଣ୍ଟାରେ ମହାପ୍ରଭୁଙ୍କୁ ପହଣ୍ଡି ବିଜେ କରାଯିବାର କାର୍ଯ୍ୟକ୍ରମ ରହିଥିବା ମନ୍ଦିର ପକ୍ଷରୁ ଜଣାଯାଇଛି । ଏହି ଅବସରରେ ସକାଳୁ ଶ୍ରୀ ମନ୍ଦିରରେ ନୂତନ ନେତ ବନ୍ଧା ଯାଇଥିବାବେଳେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇବା ପରେ ସନ୍ଧ୍ୟାରେ ରଥରେ ନେତ ବନ୍ଧା ଯାଇଥିଲା ।