ଭୂବନେଶ୍ବର/ନୂଆଦିଲ୍ଳୀ: ଆଜି ବିଶ୍ବପ୍ରସିଦ୍ଧ ରଥଯାତ୍ରା । ରଥାରୂଢ ହେବେ ତିନି ଠାକୁର । ଏନେଇ ଏବେ ଦେଶବିଦେଶରୁ ଓଡିଶାକୁ ଛୁଟୁଛି ଶୁଭେଚ୍ଛାର ସୁଅ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଦିନ ମହାପ୍ରଭୁ ଜଗନ୍ନାଥ ରଥଯାତ୍ରା ଆରମ୍ଭ ହେବା ଅବସରରେ ଭକ୍ତମାନଙ୍କୁ ତାଙ୍କର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏନେଇ ଏକ ପୋଷ୍ଟ ଜାରି କରି ରାଷ୍ଟ୍ରପତି ଲେଖିଛନ୍ତି, ‘ପବିତ୍ର ରଥଯାତ୍ରା ଅବସରରେ, ମୁଁ ଭାରତ ଏବଂ ବିଦେଶରେ ରହୁଥିବା ପ୍ରଭୁ ଜଗନ୍ନାଥଙ୍କ ଭକ୍ତମାନଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି।
ଲକ୍ଷ ଲକ୍ଷ ଭକ୍ତ ରଥ ଉପରେ ପ୍ରଭୁ ବଳଭଦ୍ର, ପ୍ରଭୁ ଶ୍ରୀ ଜଗନ୍ନାଥ, ଦେବୀ ସୁଭଦ୍ରା ଏବଂ ଚକ୍ରରାଜ ସୁଦର୍ଶନଙ୍କୁ ଦର୍ଶନ କରି ଦିବ୍ୟ ଆନନ୍ଦ ଅନୁଭବ କରନ୍ତି।’ଏଥିସହିତ ରାଷ୍ଟ୍ରପତି ମୁର୍ମୁ ତାଙ୍କ ବାର୍ତ୍ତାରେ ବିଶ୍ୱ ଶାନ୍ତି, ବନ୍ଧୁତା ଏବଂ ସଦ୍ଭାବ ପାଇଁ ପ୍ରାର୍ଥନା କରିଛନ୍ତି। ସେ କହିଛନ୍ତି, ରଥଯାତ୍ରାର ବିଶେଷତ୍ୱ ହେଉଛି ଦେବତାମାନଙ୍କର ମାନବୀୟ ଦିବ୍ୟ ଲୀଳା। ଏହି ପବିତ୍ର ଅବସରରେ, ମୁଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ସମଗ୍ର ବିଶ୍ୱରେ ଶାନ୍ତି, ମୈତ୍ରୀ ଏବଂ ସଦ୍ଭାବନା ବିରାଜମାନ ହେଉ।’ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଭୁ ଜଗନ୍ନାଥଙ୍କ ବାର୍ଷିକ ରଥଯାତ୍ରା ଆରମ୍ଭ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେରେ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି, ‘ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରାର ପବିତ୍ର ଅବସରରେ ସମସ୍ତ ଦେଶବାସୀଙ୍କୁ ମୋର ଶୁଭକାମନା। ବିଶ୍ୱାସ ଏବଂ ଭକ୍ତିର ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି, ସୌଭାଗ୍ୟ ଏବଂ ଉତ୍ତମ ସ୍ୱାସ୍ଥ୍ୟ ଆଣୁ, ଏହା ମୋର କାମନା। ଜୟ ଜଗନ୍ନାଥ ।ଆଜି ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଏହି ଅବସରରେ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ ଏହି ପର୍ବକୁ ବିଶ୍ୱାସ ଏବଂ ଭକ୍ତିର ଏକ ଅନନ୍ୟ ସଙ୍ଗମ ଭାବରେ ବର୍ଣ୍ଣନା କରିଥିଲେ। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେରେ ଏକ ପୋଷ୍ଟରେ ଶାହ ରଥଯାତ୍ରାର ଗୁରୁତ୍ୱ ଉପରେ ଆଲୋକପାତ କରି କହିଛନ୍ତି ଯେ ଏହା ଭକ୍ତି, ସଂସ୍କୃତି ଏବଂ ଐତିହ୍ୟକୁ ପାଳନ କରି ଆଗକୁ ବଢ଼ିବାର ସାର ଉପସ୍ଥାପନ କରେ। ଜୟ ଜଗନ୍ନାଥ । ଶ୍ରୀ ଜଗନ୍ନାଥ ରଥଯାତ୍ରାର ପବିତ୍ର ପର୍ବରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଶ୍ରୀ ଜଗନ୍ନାଥ ଜୀଙ୍କ ରଥଯାତ୍ରା ବିଶ୍ୱାସ ଏବଂ ଭକ୍ତିର ଏକ ଅନନ୍ୟ ସଙ୍ଗମ, ଯାହା ଆମକୁ ଶିକ୍ଷା ଦିଏ ଯେ ଭକ୍ତି, ସଂସ୍କୃତି ଏବଂ ଐତିହ୍ୟକୁ ପାଳନ କରି ଆଗକୁ ବଢ଼ିବା ହେଉଛି ଆମ ଅସ୍ତିତ୍ୱର ମୂଳଦୁଆ। ମୁଁ ସମସ୍ତଙ୍କ କଲ୍ୟାଣ ଏବଂ ପ୍ରଗତି ପାଇଁ ମହାପ୍ରଭୂ ଜଗନ୍ନାଥ, ବୀର ବଳଭଦ୍ର ଏବଂ ମାତା ସୁଭଦ୍ରାଙ୍କ ନିକଟରେ ପ୍ରାର୍ଥନା କରୁଛି ।