ଭୂବନେଶ୍ବର: ଗଞ୍ଜେଇ ମୁକ୍ତ ହେବ ଓଡ଼ିଶା । ରାଜ୍ୟରେ ବିଭିନ୍ନ ଜାଗାରେ ଜନଜାତିର ଲୋକଙ୍କୁ ପ୍ରଲୋଭିତ କରାଇ ଅନେକ ଜାଗାରେ ଚୋରା ଗଞ୍ଜେଇ ବ୍ୟବସାୟକୁ ବନ୍ଦ କରାଯିବ । ଏନେଇ ଅଭିଯାନ ଆରମ୍ଭ ହୋଇଯାଇଛି । ଏନେଇ ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।ମନ୍ତ୍ରୀ କହିଛନ୍ତି, ଏ ବର୍ଷ ସର୍ବାଧିକ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି ।
ରାଜ୍ୟରେ ବିଭିନ୍ନ ଜାଗାରେ ଜନଜାତିର ଲୋକଙ୍କୁ ପ୍ରଲୋଭିତ କରାଇ ଅନେକ ଜାଗାରେ ଚୋରା ଗଞ୍ଜେଇ ବ୍ୟବସାୟ କରାଯାଉଛି । ଆଗାମୀ ଦିନରେ ଜନଜାତିର ଗରିବ ଲୋକଙ୍କୁ ମିଛ କହି ଯେଉଁମାନେ ଗଞ୍ଜେଇ ଚାଷ କରନ୍ତି ସରକାର ସେମାନଙ୍କ ଉପରେ ନଜର ରଖିଛନ୍ତି । ଗଞ୍ଜେଇ ଚାଷ କରୁଥିବା ଜନଜାତିଙ୍କୁ ଏହାର ବିକଳ୍ପ ଜୀବିକା କ’ଣ ହୋଇପାରିବ ତା’ ଉପରେ ଆଲୋଚନା କରି ସରକାର ସୁଯୋଗ ଦିଆଯିବ । ଏଥିସହିତ ଗଞ୍ଜେଇ ଚାଷରୁ ନିବୃତ୍ତ ରହିବା ପାଇଁ ଲୋକଙ୍କୁ ସଚେତନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ପୋଲିସ୍ ବିଭାଗ ସହ ମିଶି ଏ ବିଷୟରେ ଆଲୋଚନା କରାଯାଉଛି । ସେମାନଙ୍କୁ ଗଞ୍ଜେଇ ଚାଷରୁ ନିବୃତ୍ତ କରାଇବା ଓ ରାଜ୍ୟକୁ ସମ୍ପୂର୍ଣ୍ଣ ଗଞ୍ଜେଇ ମୁକ୍ତ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ।ଅନ୍ୟପଟେ ଆଜି ଅବକାରୀ ବିଭାଗ ପକ୍ଷରୁ ନିଶାମୁକ୍ତ ଅଭିଯାନ ଅନ୍ତର୍ଗତ ଏକ ପଦଯାତ୍ରା ଆନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପବ୍ୟବହାର ନିରୋଧୀ ଦିବସ ଅବସରରେ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ଅବକାରୀ ମନ୍ତ୍ରୀଙ୍କ ସହ ପଦଯାତ୍ରାରେ ଅଧିକ ସଂଖ୍ୟକ ଯୁବ ପିଢ଼ି ସାମିଲ ହୋଇଥିଲେ । ଯାହାର ଶୀର୍ଷକ ଥିଲା, ଆମେ ସଂକଳ୍ପ ନେବା, ନିଶା ନୁହେଁ ଜୀବନ ବାଛିବା ।ଏନେଇ ମନ୍ତ୍ରୀ ତାଙ୍କ ଏକ୍ସରେ ସୂଚନା ଦେଇଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି, ଆସନ୍ତୁ, ଆଜି ହିଁ ସଂକଳ୍ପ ନେବା – ନିଶା ନୁହେଁ, ଜୀବନକୁ ବାଛିବା। ବିଭିନ୍ନ ମାଦକ ତଥା ନିଶାଦ୍ରବ୍ୟ ବ୍ୟବହାରର କୁପରିଣାମ ବିଷୟରେ ଲୋକଙ୍କୁ ଅବଗତ କରିବା ସହିତ ଅପମିଶ୍ରିତ, ବିଷାକ୍ତ ଏବଂ ଚୋରା ମଦ କାରବାର ସମ୍ପୂର୍ଣ୍ଣ ରୋକିବା ଲାଗି ଅବକାରୀ ବିଭାଗ ପକ୍ଷରୁ ସମଗ୍ର ରାଜ୍ୟବ୍ୟାପୀ ବ୍ୟାପକ ଜନସଚେତନତା ଅଭିଯାନ – ‘ଆମ ସଂକଳ୍ପ: ନିଶା ନୁହେଁ, ଜୀବନ’ ଯାହାକି ମେ’ ୩୧, ବିଶ୍ୱ ତମାଖୁ ବର୍ଜନ ଦିବସରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପସ୍ଥିତିରେ ଉଦ୍ଘଟାନ ହୋଇଥିଲା। ତାହା ଆଜିର ଉଦଯାପନୀ ଦିବସ ତଥା ଜୁନ୍ ୨୬ ଅନ୍ତର୍ଜାତୀୟ ନିଶା ସେବନ ଓ ବେଆଇନ କାରବାର ନିରୋଧ ଦିବସ। ଏହି ଅବସରରେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ ଠାରେ ଜନସଚେତନତା ଅଭିଯାନ ପଦଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିବା ସହ ନିଜେ ସାମିଲ୍ ହେଲି। ଏହି ପଦଯାତ୍ରା କଳିଙ୍ଗ ଷ୍ଟାଡିୟମ୍ ଠାରୁ ଜନତା ମଇଦାନ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ।