ପୂରୀ: ପୁରୀ ଦଳାଚକଟା ଘଟଣାରେ ବଡ କାର୍ଯ୍ୟନୁଷ୍ଠାନ ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି । ଦଳଚକଟାରେ ଅବହେଳା ପାଇଁ ବଦଳିଲେ ପୁରୀ ଜିଲ୍ଲାପାଳ ଆଉ ପୁରୀ ଏସପି । ଏଥିସହିତ ଡିସିପିଙ୍କ ସହ ଜଣେ କମାଣ୍ଡାଣ୍ଟ ନିଲମ୍ବିତ ହୋଇଛନ୍ତି । ଘଟଣାକୁ ଅକ୍ଷମଣୀୟ ଅବହେଳା କହିବା ପରେ ସୁରକ୍ଷା ବ୍ୟବସ୍ଥାରେ ସିଧାସଳଖ ଜଡିତ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କ ପ୍ରତି କିଛି ଏପରି ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ସରକାର ।
ଏନେଇ ଘଟଣାର ତଦନ୍ତ ପାଇଁ ଏକ ବୈଠକ କରିବା ପରେ ଏହି ନିଷ୍ପତ୍ତି ଶୁଣାଇଛନ୍ତି । ଏଥିସହିତ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ନିଜ ଏକ୍ସରେ ମଧ୍ୟ ସେ ସୂଚନା ଦେଇଛନ୍ତି ।ଆଜି ଭୋର ସକାଳୁ ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ଦଳଚକଟାରେ ୩ ଜଣଙ୍କର ମୃତ୍ୟୁ ହେବା ପ୍ରସଙ୍ଗରେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କୁ ବଦଳି କରାଯାଇ ସାଧାରଣ ପ୍ରଶାସନ ବିଭାଗ ଓଏସଡି ଦାୟିତ୍ବ ଦିଆଯାଇଛି । ତାଙ୍କ ସ୍ଥାନରେ ଏବେ ଚଞ୍ଚଳ ରାଣାଙ୍କୁ ପୁରୀ ଜିଲ୍ଲାପାଳ ଦାୟିତ୍ବ ଦିଆଯାଇଛି । ସେହିପରି ରଥ ଅଘଟଣ ପାଇଁ ପୁରୀ ଏସ୍ପି ବିନିତ ଅଗ୍ରୱାଲ ବି ବଦଳି କରାଯାଇଛି । ତାଙ୍କ ସ୍ଥାନରେ ଆଇପିଏସ୍ ପିନାକ ମିଶ୍ର ଏବେ ପୁରୀ ଏସପି ଦାୟିତ୍ବ ତୁଲାଇବେ । ଯାହାଙ୍କର ପୂର୍ବରୁ ପୁରୀ ଏସପି ଭାବେ ଅଭିଜ୍ଞତା ରହିଛି ମଧ୍ୟ ।ଏହାବ୍ୟତୀତ ଡିସିପି ବିଷ୍ଣୁ ପତି ଏବଂ କମାଣ୍ଡାଣ୍ଟ ଅଜୟ ପାଢ଼ୀଙ୍କୁ ସରକାର ରଥଯାତ୍ରା ସମୟରେ ଅବହେଳା ପାଇଁ ତଦନ୍ତ ପର୍ଯ୍ୟନ୍ତ ସିଧା ସସ୍ପେଣ୍ଡ୍ କରିଛନ୍ତି । ଆଉ ଅରବିନ୍ଦ ଅଗ୍ରୱାଲଙ୍କୁ ରଥ ପରିଚାଳନାର ଅତିରିକ୍ତ ଦାୟିତ୍ବ ମିଳିଛି। ସେ ବର୍ତ୍ତମାନ ଉଚ୍ଚ ଶିକ୍ଷା ବିଭାଗ ସଚିବ ଦାୟିତ୍ବ ତୁଲାଉଥିବା ବେଳେ ବର୍ତ୍ତମାନ ତାହା ସହ ରଥଯାତ୍ରା ନସରିବା ପର୍ଯ୍ୟନ୍ତ ରଥ ପରିଚାଳନା ଦାୟିତ୍ବ ମଧ୍ୟ ତୁଲାଇବେ । ସୁପରଭିଜନ ପାଇଁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି ।ପୁରୀରେ ପ୍ରଭୁ ଜଗନ୍ନାଥଙ୍କ ମହାରଥୀ ରଥଯାତ୍ରା ସମୟରେ ଗୁଣ୍ଡିଚା ମନ୍ଦିର ନିକଟରେ ଘଟିଥିବା ଦୁଃଖଦ ଦଳାଚକଟା ଫଳରେ ତିନି ଜଣ ଭକ୍ତଙ୍କ ମୃତ୍ୟୁ ହେବା ପରେ, ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଆର୍ଥିକ କ୍ଷତିପୂରଣ, ପ୍ରଶାସନିକ ତଦନ୍ତ ଏବଂ ଜିଲ୍ଲା ସ୍ତରରେ ପ୍ରମୁଖ କର୍ମଚାରୀ ପରିବର୍ତ୍ତନ ସମେତ ଏଭଳି ଦ୍ରୁତ ଏବଂ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଘୋଷଣା କରିଛି । ଯାହାର ଲକ୍ଷ୍ୟ ହେଉଛି ଏପରି ବଡ଼ ଧାର୍ମିକ କାର୍ଯ୍ୟକ୍ରମ ସମୟରେ ଜନସାଧାରଣଙ୍କ ବିଶ୍ୱାସ ଫେରାଇ ଆଣିବା ଏବଂ ଭିଡ଼ ପରିଚାଳନାରେ ଉନ୍ନତି ଆଣିବା ।ତେବେ ମୁଖ୍ୟମନ୍ତ୍ରୀ ପୂର୍ବରୁ ପୁରୀରେ ଘଟିଥିବା ଦୁଃଖଦ ଦଳାଚକଟା ପାଇଁ ପ୍ରଭୁ ଜଗନ୍ନାଥଙ୍କ ଭକ୍ତମାନଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ ଏବଂ ଦୃଷ୍ଟାନ୍ତମୂଳକ କାର୍ଯ୍ୟନୁଷ୍ଠାନ ନେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ପରେ ଏହାକୁ ନେଇ ଆଜି ମୁଖ୍ୟମନ୍ତ୍ରୀ ନିଜ ବାସଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ କରିଥିଲେ । ଆଉ ସରକାରୀ ବିଜ୍ଞପ୍ତି ଦ୍ବାରା ଦଳାଚକଟା ପାଇଁ ଦାୟୀ ଅବହେଳା ପାଇଁ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଘୋଷଣା କରିଛନ୍ତି । ଏଥିସହିତ ଶରଧାବାଲି ନିକଟରେ ଭିଡ଼ ଯୋଗୁଁ ଦଳାଚକଟାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ମୃତକଙ୍କ ପରିବାରକୁ ରାଜ୍ୟ ସରକାର ୨୫ ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି ।