*ବଜ୍ରପାତଜନିତ ବିପଦକୁ ଏଡ଼ାଇବା ପାଇଁ ସତର୍କତା ନିମନ୍ତେ ସଚେତନତା କାର୍ଯ୍ୟକ୍ରମ*

ବରଗଡ:୨୯/୬(ପବିତ୍ର ମେହେର) ବଜ୍ରପାତ ଏକ ଭୟଙ୍କର ବିପତ୍ତି ହୋଇଥିଲେ ମଧ୍ୟ ଏଥିରୁ ରକ୍ଷା ପାଇବା ନିମିତ୍ତ ପୂର୍ବ ପ୍ରସ୍ତୁତି ନିହାତି ଆବଶ୍ୟକ। ବଜ୍ରପାତଜନିତ ବିପଦଗୁଡ଼ିକ ସଂମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ଭୁକ୍ତାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ନାୟକଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କ୍ରୀଡ଼ା ଶିକ୍ଷକ ଜ୍ୟୋତିଶ୍ଚନ୍ଦ୍ର ପଧାନ ସଚେତନତା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।ଇକୋ କ୍ଳବ୍ ମାଷ୍ଟର ଟ୍ରେନର ସଞ୍ଜୟ ଖମାରୀ ବଜ୍ରପାତର କାରଣ, ପ୍ରଭାବ ଓ ବଜ୍ରପାତଜନିତ ବିପଦକୁ ଏଡ଼ାଇବା ପାଇଁ କି କି ସାବଧାନତା ଅବଲମ୍ବନ କରିବା ଉଚିତ ସେ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଧାରଣା ପ୍ରଦାନ କରିଥିଲେ। କି କି ପଦକ୍ଷେପ ଗ୍ରହଣ କଲେ ବଜ୍ରପାତ ଯୋଗୁଁ ଘଟୁଥିବା କ୍ଷୟକ୍ଷତି ତଥା ଜନଜୀବନକୁ ରୋକାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା।ବଜ୍ରପାତ ପ୍ରଭାବରୁ ସୁରକ୍ଷା ପାଇଁ ବିଭିନ୍ନ ଉପାୟ ଯଥା କୋଠାଘରଗୁଡିକରେ ବିଜୁଳି ପରିବାହକର ବ୍ଯବହାର,ବଜ୍ରପାତ ସମୟରେ ଗଛମୂଳରେ ଆଶ୍ରୟ ନ ନେଇ ନିରାପଦ ଆଶ୍ରୟସ୍ଥଳୀରେ ଆଶ୍ରୟ ନେବା ଇତ୍ୟାଦି ବିଷୟ ଆଲୋଚନାରେ ସ୍ଥାନ ପାଇଥିଲା।ଏହି କାର୍ଯ୍ୟକ୍ରମରେ ବୀର ସୁରେନ୍ଦ୍ର ସାଏ ଇକୋ କ୍ଳବ୍, ଶକ୍ତି କ୍ଲବ ଓ ଜୁନିଅର ରେଡକ୍ରସର ସଦସ୍ୟ ସକ୍ରିୟ ଅଂଶଗ୍ରହଣ କରିଥିବା ବେଳେ ପରିଚାଳନାରେ ଶିକ୍ଷକ ରଂଜିତ ସାହୁ, ଶାନ୍ତନୁ ମିଶ୍ର,ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ରାଧେଶ୍ୟାମ ବାରିକ,ତେଜରାମ ସା, ବୋଧରାମ ବିଶ୍ୱାଳ, ଈଶ୍ୱର ପଧାନ,ଶ୍ରୀପତି ସାହୁ,,ସୁବାସ ଚନ୍ଦ୍ର ଖମାରୀ, ଅଙ୍କିତ ମହନ୍ତ,ପ୍ରକାଶ ପଧାନ,ପଦ୍ମଲୋଚନ ବିଶି,ଶିକ୍ଷୟିତ୍ରୀ ଅନୀତା ପଧାନଙ୍କ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।
