ବାଲିପାଟଣା: ରଥଯାତ୍ରା ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଘଟିଥିବା ଅଭାବନୀୟ ଘଟଣାରେ ବାଲିପାଟଣା ବ୍ଲକର ଅଠାନ୍ତର ଗ୍ରାମ ନିବାସୀ ପ୍ରଭାତୀ ଦାସଙ୍କର ପରଲୋକ ଘଟିଥିଲା । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମଙ୍ଗଳବାର ସ୍ବର୍ଗତଃ ପ୍ରଭାତୀ ଦାସଙ୍କର ବାସଭବନକୁ ଯାଇ ତାଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି ।
ଏନେଇ ପ୍ରଭାତୀ ପରିଡା କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ମୋହନମାଝୀଙ୍କ ନିର୍ଦ୍ଦେଶ କ୍ରମେ, ଆଜି ଅଠାନ୍ତର ସ୍ଥିତ ପ୍ରଭାତୀଙ୍କ ବାସଭବନ ଯାଇ ତାଙ୍କ ପରିବାରର ଗୁରୁଜନଙ୍କ ସମେତ ପରିବାରବର୍ଗଙ୍କୁ ସମବେଦନା ଜଣାଇଲି ।
ତାଙ୍କ ଝିଅ ଶୀର୍ଷା ଦାସଙ୍କୁ ରାଜ୍ୟ ସରକାରଙ୍କ ଦ୍ଵାରା ଘୋଷଣା ହୋଇଥିବା ୨୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କଲି । ଏହି ଦୁଃଖଦ ସମୟରେ ମହାପ୍ରଭୁ ତାଙ୍କ ପରିବାରବର୍ଗଙ୍କୁ ଧୈର୍ଯ୍ୟ ଓ ଶକ୍ତି ପ୍ରଦାନ କରନ୍ତୁ ଏତିକି ପ୍ରାର୍ଥନା କରୁଛି ।ସୂଚନାଯୋଗ୍ୟ, ଜୁନ୍ ୨୯ ପୁରୀ ଶରଧାବାଲିରେ ଠେଲାପେଲାରେ ୩ ଜଣ ଭକ୍ତଙ୍କର ମୃତ୍ୟୁ ହୋଇଛି । ରବିବାର ଥିବାରୁ ରାତିରୁ ଭକ୍ତଙ୍କ ପ୍ରବଳ ଗହଳି ଲାଗିଥିଲା । ଭୋର୍ ୪ଟାରେ ଅଘଟଣ ଘଟିଥିଲା । ଦର୍ଶନ ପାଇଁ ଅତ୍ୟଧିକ ଭିଡ଼ ଥିବାବେଳେ ଠେଲାପେଲାରେ ୨ ମହିଳା ଭକ୍ତ ଓ ଜଣେ ପୁରୁଷ ଭକ୍ତଙ୍କ ମୃତ୍ୟୁ ଘଟିଛି । ୩ ମୃତକ ହେଲେ ପ୍ରଭାତୀ ଦାସ, ବାସନ୍ତୀ ସାହୁ ଏବଂ ପ୍ରେମକାନ୍ତ ମହାନ୍ତି ।