ମୂଲବାର ମୈତ୍ରୀ ପଦ ଚୟନରେ ଅନିୟମିତତା ଅଭିଯୋଗ
ଭଟଲି :- ରାଜ୍ୟ ସରକାର ଜନସାଧାରଣଙ୍କ ଅଞ୍ଚଳର ତଥା ରାଜ୍ୟର ବିକାଶ ପାଇଁ ବିଭିନ୍ନ ପ୍ରକାର ଯୋଜନା କରିଛନ୍ତି । ସେହି ସବୁ ଯୋଜନା ଗୁଡିକୁ ଲୋକଙ୍କ ପାଖରେ ସହଜରେ ପହଞ୍ଚାଇ ତାର ସଠିକ ବିନିଯୋଗ କରିବା ପାଇଁ ବିଭିନ୍ନ ସମୟରେ ସ୍ଥାନୀୟ ସହଯୋଗୀ କର୍ମଚାରୀମାନଙ୍କୁ ନିଯୁକ୍ତି ଦିଆଯାଇଥାଏ । ଠିକ ସେହିପରି ମୂଲବାର ପଞ୍ଚାୟତରେ ପ୍ରାଣୀଧନ ସେବା ନିମନ୍ତେ ମୈତ୍ରୀ ପଦ ନିଯୁକ୍ତି ପାଇଁ ବିଜ୍ଞାପନ ବାହାରିଥିଲା । ଏଥିପାଇଁ ଆଶାୟୀ ପ୍ରାର୍ଥୀ ଆବେଦନ ମଧ୍ୟ କରିଥିଲେ । ଦର୍ଶାଯାଇଥିବା ଆବଶ୍ୟକ ବିଭିନ୍ନ ଦଲିଲ ବା କାଗଜପତ୍ର ସହିତ ସ୍ଥାନୀୟ ସରପଞ୍ଚଙ୍କ ଦ୍ୱାରା ସ୍ୱାକ୍ଷରିତ ଏକ ଫର୍ମ ମଧ୍ୟ ସଂଲଗ୍ନ ହେଉଥିଲା । ଏଥିରେ ସ୍ଥାନୀୟ ପଞ୍ଚାୟତ ବାସିନ୍ଦାଙ୍କୁ ଅଗ୍ରାଧିକାର ହେବାକୁ ଉଲ୍ଲେଖ ଅଛି। କିନ୍ତୁ ସେହି ନିଯୁକ୍ତି ସ୍ଥାନୀୟ ଆବେଦନକାରୀ କୁ ଦିଆନଯାଇ ଅନ୍ୟ ପଞ୍ଚାୟତର ଜଣଙ୍କୁ ଚୟନ କରାଯାଇଥିଲା । ତେଣୁ ସୋମବାର ଭଟଲି ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଚାଲିଥିବା ଜିଲ୍ଲାପାଳଙ୍କ ଜନଅଭିଯୋଗ ଶୁଣାଣୀରେ ସ୍ଥାନୀୟ ଆବେଦନକାରୀ ଅଶ୍ୱିନୀ ସାହୁ ଏହି ଚୟନ ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ଅଭିଯୋଗ କରିଥଲେ । କେଉଁ କାରଣରୁ ଅନ୍ୟ ପଞ୍ଚାୟତର ବାସିନ୍ଦାଙ୍କୁ ଚୟନ କରାଯାଇଛି ତାହା ତଦନ୍ତ ସାପେକ୍ଷ।