ନୂଆଦିଲ୍ଲୀ: ୨୦୧୧ ମସିହାରେ ଭାରତର ପୂର୍ବତନ ଉପପ୍ରଧାନମନ୍ତ୍ରୀ ଏବଂ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ମିଳିଥିଲା ବୋମା ଧମକ । ତାମିଲନାଡୁର ମଦୁରାଇରେ ରଥଯାତ୍ରା ସମୟରେ ଆଡଭାନୀଙ୍କୁ ଟାର୍ଗେଟ କରି ପାଇପ୍ ବୋମା ଖଞ୍ଜିବାକୁ ଚେଷ୍ଟା କରାଯାଇଥିଲା। ବର୍ତ୍ତମାନ ଏହି ଷଡ଼ଯନ୍ତ୍ରରେ ସାମିଲ ଥିବା ଆତଙ୍କବାଦୀକୁ ପ୍ରାୟ ୩୦ ବର୍ଷ ପରେ ଆନ୍ଧ୍ର ପ୍ରଦେଶରେ ଗିରଫ କରାଯାଇଛି।
ଲାଲକୃଷ୍ଣ ଆଡଭାନୀଙ୍କୁ ଟାର୍ଗେଟ କରି ପାଇପ୍ ବୋମା ଖଞ୍ଜିବାକୁ ଷଡ଼ଯନ୍ତ୍ରରେ ସାମିଲ ଥିବା ଆତଙ୍କବାଦୀଙ୍କୁ ଅବୁବକର ସିଦ୍ଦିକିକୁ ଗିରଫ କରିଛି ପୋଲିସ୍ । ମଙ୍ଗଳବାର ଦିନ ପୋଲିସ ଆତଙ୍କବାଦୀଙ୍କୁ ଗିରଫ କରିବା ସମ୍ପର୍କରେ ସୂଚନା ଦେଇଛି। ପୋଲିସ ଅନୁଯାୟୀ, ଆବୁବକର ସିଦ୍ଦିକିକୁ ତାମିଲନାଡୁ ଆତଙ୍କବାଦ ନିରୋଧୀ ସ୍କ୍ୱାଡ୍ ଆନ୍ଧ୍ର ପ୍ରଦେଶର ଅନ୍ନମାୟା ଜିଲ୍ଲାରେ ତାର ଆଡ୍ଡାରୁ ଗିରଫ କରାଯାଇଛି । ଏକ ସୂଚନା ଆଧାରରେ ତାଙ୍କୁ ଗିରଫ କରାଯାଇଥିଲା ଏବଂ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥାଗୁଡ଼ିକର ସହାୟତାରେ ଆବୁବକରଙ୍କ ସହିତ ଆଉ ଜଣେ ପଳାତକ ମହମ୍ମଦ ଅଲି ଓରଫ ୟୁନୁସ୍ ଓରଫ ମନସୁରଙ୍କୁ ମଧ୍ୟ ଗିରଫ କରାଯାଇଛି।ପୋଲିସ ସୂଚନା ଅନୁଯାୟୀ, ୬୦ ବର୍ଷୀୟ ଆତଙ୍କବାଦୀ ଅବୁବକର ସିଦ୍ଦିକି ଦକ୍ଷିଣ ଭାରତରେ ଅନେକ ବୋମା ବିସ୍ଫୋରଣରେ ଜଡିତ ଥିଲା। ପୋଲିସ ଗତ ୩ ଦଶନ୍ଧି ଅର୍ଥାତ୍ ପ୍ରାୟ ୩୦ ବର୍ଷ ଧରି ଆତଙ୍କବାଦୀଙ୍କୁ ଖୋଜୁଥିଲା। ପୋଲିସ ଆତଙ୍କବାଦୀ ଅବୁବକର ଉପରେ ୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ମଧ୍ୟ କରିଥିଲା । ପୋଲିସ କହିଛି ‘ସେ ଅନେକ ବୋମା ବିସ୍ଫୋରଣ ଏବଂ ସାମ୍ପ୍ରଦାୟିକ ହତ୍ୟାକାଣ୍ଡରେ ଜଡିତ ଥିଲା ଏବଂ ତିନି ଦଶନ୍ଧି ଧରି ପୋଲିସକୁ ଚକମା ଦେଉଥିଲା।’ଏଥିସହିତ ଆତଙ୍କବାଦୀ ଅବୁବକର ୧୯୯୫ ମସିହାରେ ଚିନ୍ତାଦ୍ରିପେଟରେ ହିନ୍ଦୁ ମୁନ୍ନାନୀଙ୍କ କାର୍ଯ୍ୟାଳୟରେ ବୋମା ବିସ୍ଫୋରଣ, ୧୯୯୫ ମସିହାରେ ହିନ୍ଦୁ ଦକ୍ଷିଣପନ୍ଥୀ କର୍ମୀ ଟି ମୁଥୁକ୍ରିଷ୍ଣନଙ୍କୁ ଟାର୍ଗେଟ କରି ପାର୍ସଲ ବୋମା ବିସ୍ଫୋରଣ, ୧୯୯୯ ମସିହାରେ ଏଗମୋରରେ ଚେନ୍ନାଇ ପୋଲିସ କମିଶନର କାର୍ଯ୍ୟାଳୟରେ ବୋମା ଲଗାଇବା ଏବଂ ତିରୁଚିରାପାଲି, କୋଏମ୍ବାଟୁର ଏବଂ କେରଳ ସମେତ ଅନ୍ୟ ଛଅଟି ସ୍ଥାନରେ ବୋମା ଲଗାଇବା ଘଟଣାରେ ଜଡିତ ଥିଲା। ୨୦୧୧ ମସିହାରେ ତାମିଲନାଡୁର ମାଦୁରାଇରେ ତାଙ୍କ ରଥଯାତ୍ରା ସମୟରେ ଲାଲକୃଷ୍ଣ ଆଡଭାନୀଙ୍କୁ ଟାର୍ଗେଟ କରିବା ପାଇଁ ପାଇପ୍ ବୋମା ଲଗାଇବାକୁ ଚେଷ୍ଟା କରିଥିଲା।