ପୂରୀ: ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ ଭାଇ ବଳଭଦ୍ର ଏବଂ ସାନ ଭଉଣୀ ମାଆ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାୠଢ ହୋଇ ଶ୍ରୀମନ୍ଦିର ଛାଡି ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି ।
ରଥଯାତ୍ରାର ପଞ୍ଚମ ଦିନ ହେରାପଞ୍ଚମୀରେ ଅଭିମାନିନୀ ମାଆ ଲକ୍ଷ୍ମୀ ଠାକୁରାଣୀ ଗୁଣ୍ଡିଚା ମନ୍ଦିର ଆସି ନୀତି ସମ୍ପନ୍ନ କରି ଶ୍ରୀମନ୍ଦିରକୁ ଫେରିଯିବା ପରେ ଘୋଷଯାତ୍ରାର ଷଷ୍ଠ ଦିବସରେ ବାହୁଡା ଯାତ୍ରାର ଆଦ୍ୟ ପର୍ବ ଆରମ୍ଭ ହୋଇଛି ।
ବାହୁଡ଼ା ଯାତ୍ରା ପାଇଁ ତିନି ରଥର ଦକ୍ଷିଣ ମୋଡ ନେଇ ଶ୍ରୀବିଗ୍ରହମାନେ ଆଜ୍ଞାମାଳ ପ୍ରଦାନ କରିବା ପରେ ରଥର ଦକ୍ଷିଣ ମୋଡ ଆରମ୍ଭ ହୋଇଛି ।ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ସମ୍ମୁଖରେ ଦଣ୍ଡାୟମାନ ଥିବା ରଥ ତ୍ରୟର ଦକ୍ଷିଣ ମୋଡ ବିଧି ଆଜି (ବୁଧବାର) ଅନୁଷ୍ଠିତ ହୋଇଛି । ରଥଗୁଡିକ ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ସମ୍ମୁଖରୁ ଭିଡା ହୋଇ ନାକଚଣା ନିକଟକୁ ନିଆଯାଇଛି । ତେବେ ମାଆ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ବଡ ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ଦକ୍ଷିଣ ମୋଡ ହୋଇ ନାକଚଣା ଦ୍ୱାର ସମ୍ମୁୁଖରେ ପହଞ୍ଚିଥିବା ବେଳେ ସୂର୍ଯ୍ୟ ଅସ୍ତ ହୋଇ ସନ୍ଧ୍ୟା ହୋଇଯିବା ହେତୁ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଦକ୍ଷିଣ ମୋଡ ନହୋଇ ଆସନ୍ତାକାଲି (ଗୁରୁବାର) ଦକ୍ଷିଣ ମୋଡ ଅନୁଷ୍ଠିତ ହେବ । ବୁଧବାର ନୀତିରେ ବିଳମ୍ବ ପରିିଲିଖିତ ହୋଇଥିଲା । ମହାପ୍ରଭୁଙ୍କ ସକାଳ ଧୂପ ବିଳମ୍ବ ହେବା ଫଳରେ ରଥକୁ ଆଜ୍ଞାମାଳ ଆସିବାରେ ବିଳମ୍ବ ହୋଇଥିଲା । ଯାହାଫଳରେ ରଥ ଟଣା ମଧ୍ୟ ବିଳମ୍ବ ହୋଇଥିଲା । ଦକ୍ଷିଣ ମୋଡ ପାଇଁ ରଥ ଟଣା ବିଳମ୍ବରେ ଆରମ୍ଭ ହେବା କାରଣରୁ ଶୁକ୍ରବାର ଦୁଇଟି ରଥର ଦକ୍ଷିଣ ମୋଡ ହୋଇଥିବା ବେଳେ ନନ୍ଦିଘୋଷ ରଥର ଦକ୍ଷିଣ ମୋଡ ହୋଇପାରିନଥିଲା ।ଆଜ୍ଞାମାଳ ପ୍ରଦାନ କରାଯିବା ପରେ ବଡ ଠାକୁରଙ୍କ ତାଳଧ୍ୱଜ ରଥ ଉପରକୁ ଘଣ୍ଟ, ଓଲାର (ଛତି) କାହାଳୀ, ବୈଜୟନ୍ତୀ ଏବଂ ବିଶ୍ୱକର୍ମା ମହାରଣା ଉପରକୁ ଚଢିଥିଲେ । ରଥ ଦକ୍ଷିଣ ମୋଡ ପାଇଁ ବିଜେ କାହାଳୀ, ଘଣ୍ଟ ବାଜିଥିଲା । ଏହା ପରେ ଭୋଇ ସେବକମାନେ ମାଆ ସୁଭଦ୍ରାଙ୍କ ରଥରେ ବ୍ରେକ୍ ଓ ଦଉଡି ସଂଯୋଗ କରିଥିଲେ । ପରେ ଘୋଷ ଘଣ୍ଟୁଆଙ୍କ ଘଣ୍ଟ ନାଦରେ ରଥର ଦକ୍ଷିଣ ମୋଡ ଆରମ୍ଭ ହୋଇଥିଲା । ପରମ୍ପରା ଅନୁଯାୟୀ, ପ୍ରଥମେ ମାଆ ସୁଭଦ୍ରାଙ୍କ ଦେବଦଳନ ରଥର ଦକ୍ଷିଣ ମୋଡ ଆରମ୍ଭ ହୋଇଥିଲା । ସୁରକ୍ଷାକର୍ମୀମାନେ ରଥକୁ ଦକ୍ଷିଣ ମୋଡ କରିଥିଲେ । ଦେବୀ ସଭଦ୍ରାଙ୍କ ରଥର ଦକ୍ଷିଣ ମୋଡ ପରେ ବଡ ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥର ଦକ୍ଷିଣ ମୋଡ ହୋଇଥିଲା । ଦକ୍ଷିଣ ମୋଡ ସମୟରେ ଅନେକ ଭକ୍ତମାନେ ରଥ ଦଉଡି ଧରି ରଥ ଟାଣିବା ପାଇଁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଥିଲା । ତେବେ ସନ୍ଧ୍ୟା ହୋଇଯିବାରୁ ମହାପ୍ରଭଙ୍କ ରଥ କୁ ଦକ୍ଷିଣ ମୋଡ କରାଯାଇନଥିଲା। ଗୁରୁବାର ସକାଳେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ଦକ୍ଷିଣ ମୋଡ ଅନୁଷ୍ଠିତ ହେବ ।