ପୁରୀ: ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥି ତଥା ପବିତ୍ର ଶ୍ରୀହରିଶୟନ ଏକାଦଶୀ ତିଥିରେ ରଥ ଉପରେ ଅନୁଷ୍ଠିତ ହେଉଛି ଚତୁର୍ଦ୍ଧା ବିଗ୍ରହଙ୍କ ବଡ ତଢ଼ାଉ ବେଶ ବା ସୁନାବେଶ । ଦୁର୍ଲଭ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଦାରୁ ଦିଅଁ । ଶ୍ରୀପୟର, ଶ୍ରୀଭୁଜ, କିରୀଟ, ଓଡ଼ିଆଣି, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ଏବଂ ଅନେକ ପ୍ରକାର ମାଳି ସହ ମହଣ ମହଣ ସୁନାରେ ଝଟକୁଛନ୍ତି ଶ୍ରୀ ବିଗ୍ରହ ।
ସକାଳ ୬ ଟାରୁ ରଥ ଉପରେ ମଙ୍ଗଳ ଆଳତୀ ହୋଇ ୧୦ଟା ୩୦ ମଧ୍ୟରେ ଗୋପାଳ ବଲ୍ଲଭ ଭୋଗ ଶେଷ ହୋଇଥିଲା । ଅପରାହ୍ନ ୨ଟା ରୁ ୩ଟା ମଧ୍ୟରେ ମଧ୍ୟାହ୍ନ ଧୂପ ହେବାପରେ ଅନ୍ୟାନ୍ୟ ନୀତି ବଢ଼ି ସନ୍ଧ୍ୟା ୫ଟା ରୁ ୬ଟା ମଧ୍ୟରେ ସୁନାବେଶ ଆରମ୍ଭ ହୋଇଛି । ରାତି ୧୨ଟା ପର୍ଯ୍ୟନ୍ତ ଏହି ଦୁର୍ଲଭ ବେଶର ଦର୍ଶନ କରିପାରିବେ ଶ୍ରଦ୍ଧାଳୁ ।ସେହିପରି, ନୀତି ଓ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ସେବାୟତ ମାନେ କିଭଳି ଦର୍ଶନ ସମୟରେ ଶ୍ରୀବିଗ୍ରହଙ୍କ ଆଗରେ ଦଣ୍ଡାୟମାନ ହୋଇ ବାଧକ ନ ସାଜିବେ ସେନେଇ ନିଷ୍ପତ୍ତି ନିଆଯାଇଛି । ପାନୀୟ ଜଳ ଠାରୁ ପ୍ରାଥମିକ ଚିକିତ୍ସା କେନ୍ଦ୍ର ପର୍ଯ୍ୟନ୍ତ ସମସ୍ତ ସୁବିଧା ଶ୍ରଦ୍ଧାଳୁ ମାନଙ୍କ ପାଇଁ ମହଜୁଦ ରହିଛି ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି ।ଅନ୍ୟପଟରେ ପ୍ରାୟ ୧୫ରୁ ୨୦ ଲକ୍ଷ ଭକ୍ତ ଶ୍ରୀକ୍ଷେତ୍ର ଆସିବାର ଆକଳନ କରାଯାଉଥିବା ବେଳେ ପୋଲିସ ପକ୍ଷରୁ ଭିଡ ଓ ଗହଳି ନିୟନ୍ତ୍ରଣ ପାଇଁ ୨୧୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ମୋବାଇଲର କମ୍ ବ୍ୟବହାର କରି ଦର୍ଶନରେ ବାଧକ ନହେବା ପାଇଁ ଶ୍ରଦ୍ଧାଳୁ ଙ୍କୁ ଅନୁରୋଧ କରିଛନ୍ତି ପୁରୀ ଏସପି । ଜରୁରୀ କାଳୀନ ପରିସ୍ଥିତିରେ ପୋଲିସ୍ ର ସହାୟତା ନେବା ପାଇଁ ନମ୍ବର୍ ରେ ହେଲ୍ପ ଲାଇନ୍ ଜାରି କରାଯାଇଛି । ସେଇଭଳି କ୍ରାଉଡ ମୋବିଲିଟି ଯୋଜନା ଅନୁଯାୟୀ ମାର୍କେଟ ଛକ ଠାରୁ ବ୍ୟାରିକେଡ୍ ମାଧ୍ୟମରେ ଭକ୍ତମାନଙ୍କ ପାଇଁ ଗୋଟିଏ ପଥରେ ପ୍ରବେଶ ବ୍ୟବସ୍ଥା କରାଯାଇଛି । ଭକ୍ତମାନେ ମାର୍କେଟ ଛକରେ ବ୍ୟାରିକେଡ୍ ରେ ପ୍ରବେଶ କରିବେ ଏବଂ ଗୋଇଙ୍କା ଧର୍ମଶାଳା, ମର୍ଚିକୋଟ ଏବଂ ରାଧାବଲ୍ଲଭ ମଠ ସମ୍ମୁଖରେ ସିଂହ ଦ୍ୱାର ଆଡକୁ ଯିବେ ।ସମସ୍ତ ଭକ୍ତ ନନ୍ଦିଘୋଷ ରଥ ପାର୍ଶ୍ୱରେ ଡାହାଣ ପଟେ ଯାଇ ସମସ୍ତ ତିନି ରଥ ଆଗରେ ଯିବେ ଏବଂ ଶ୍ରୀଜୀଉମାନଙ୍କର ଦର୍ଶନ କରିବେ । ଅରୁଣସ୍ତମ୍ଭ ଦେଇ ଗ୍ରାଣ୍ଡ ରୋଡର ପଶ୍ଚିମ ପାର୍ଶ୍ୱ ଦେଇ ମାର୍କେଟ ଛକ ଦେଇ ପ୍ରସ୍ଥାନ କରିବେ।ଦୋଳମଣ୍ଡପ ସାହି, ଜହ୍ନି ମୁଣ୍ଡିଆ ଛକ, ଦୋଳବେଦୀ ଆଦି ସ୍ଥାନରେ ପ୍ରେସର ପଏଣ୍ଟ ଚିହ୍ନଟ କରାଯାଇଛି । ସେଇ ସବୁ ସ୍ଥାନରୁ ଗହଳିର ସ୍ଥିତିକୁ ଦେଖି ନିୟନ୍ତ୍ରିତ କରି ଭକ୍ତଙ୍କୁ ଛଡାଯିବ ।ସୁନାବେଶ ପାଇଁ ରେଳବାଇ ପକ୍ଷରୁ ୩୫୦ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରୁଛି । ପରଦିନ ଅଧରପଣା ନୀତି ଥିବାରୁ ଅନ୍ୟ ୩୫୦ଟି ସ୍ବତନ୍ତ୍ର ଟ୍ରେନ ଚଳାଚଳ ବୋଲି ରେଳବାଇ ସୂତ୍ରରୁ ଜଣା ପଡ଼ିଛି ।