ପ୍ରଥମ ଥର ଲାଗି ରଥ ଉପରେ ସୁନାବେଶ ସୁନାବେଶରେ ଦର୍ଶନ ଦେଲେ ଶ୍ରୀ ଦଧିବାମନ

ଭଟଲି ୬/୭(ଅଭିମନ୍ୟୁ ପଧାନ): ପଶ୍ଚିମ ଓଡିଶାର ଶ୍ରୀକ୍ଷେତ୍ର ଭାବେ ପରିଚିତ ଭଟଲିର ଆରାଦ୍ଧ ମହାପ୍ରଭୁ ଶ୍ରୀ ଦଧିବାମନ ସ୍ୱାମୀ ପ୍ରଥମ ଥର ପାଇଁ ରଥ ଉପରେ ଆଜି ସୁନା ବେଶରେ ଦର୍ଶନ ଦେଇଛନ୍ତି । ମହାପ୍ରଭୁଙ୍କ ବାହୁଡାଯାତ ଗତକାଲି ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଲକ୍ଷାଧିକ ଭକ୍ତମାନଙ୍କ ଗହଣରେ ମହାପ୍ରଭୁ ମାଉଁସୀ ମାଁ ମନ୍ଦିରରୁ ନଅ ଦିନ ବ୍ୟାପି ନବଗୁଞ୍ଜର ଯାତ୍ରା ସାରି ଶ୍ରୀ ମନ୍ଦିର ଅଭିମୁଖେ ବାହାରି ପଡିଥିଲେ । ମହାପ୍ରଭୁ ନନ୍ଦିଘୋଷ ରଥରେ ବିଜେ ହେବା ପରେ ଶନିବାର ସନ୍ଧ୍ୟାରେ ରଥଟଣା ଆରମ୍ଭ ହୋଇ ବିଲମ୍ବିତ ରାତିରେ ରଥଖଳାରେ ନିକଟରେ ଲାଗିଥିଲା । ତେବେ ରବିବାର ପ୍ରତ୍ୟୁଷରୁ ରଥ ଉପରେ ସେବକମାନଙ୍କଦ୍ୱାରା ପ୍ରଭୁଙ୍କ ଦୈନିକ ପୂଜାନୀତି ତଥା ପହଡ଼ଭଙ୍ଗ, ଦ୍ୱାରଫିଟା ନୀତି, ମଙ୍ଗଳପ୍ରଦୀପ, ସୁର୍ଯ୍ୟପୂଜା, ଅବକାଶ ନୀତି, ମଇଲମ ଓ ବେଶ ପରିବର୍ତ୍ତନ, ଗୋପାଲବଲ୍ଲଭ ଭୋଗ ଲାଗି, ଦ୍ୱାରପାଳ ପୂଜା, ରୋଷ ପୂଜା, ସକାଲଧୂପ ଅନୁଷ୍ଠିତ ହେବାପରେ ପ୍ରଭୁଙ୍କୁ ସୁନା ବେଶ କରାଇଥିଲା । ଯାହାକି ଭଟଲି ଇତିହାସରେ ପ୍ରଥମ ଅଟେ । ପୂର୍ବ ବର୍ଷମାନଙ୍କରେ ବାହୁଡାଯାତ ଦିନ ଶ୍ରୀ ଦଧିବାମନଙ୍କୁ ରାତିରେ ଗମ୍ଭିରା ବିଜେ କରାଯାଇ ପରଦିନ ମନ୍ଦିର ମଧ୍ୟରେ ସୁନା ବେଶରେ ସଜ୍ଜିତ କରାଯାଇଥାଏ । କିନ୍ତୁ ଚଳିତ ବର୍ଷ ପ୍ରଥମ କରି ରଥ ଉପରେ ମହାପ୍ରଭୁ ଭକ୍ତଙ୍କୁ ସୁନା ବେଶରେ ଦର୍ଶନ ଦେଉଛନ୍ତି । ଏହି ବେଶ ଦେଖିବାକୁ ଶହଶ୍ରାଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା । ସୁନାମ ଧନ୍ୟ ପାରାୟଣ ଗାୟିକା ବନ୍ଦିତା ନାୟକ ପାରାୟଣ ଭଜନ ପରିବେଷଣ କରିଥିଲେ। ରସଗୋଲା ପ୍ରସାଦ ଭକ୍ତଙ୍କୁ ଦିଆଯାଉଥିଲା।