ଵରୀ/ବିଞ୍ଝାରପୁର : ସୋମବାର ଅପରାହ୍ନରେ ବାସନ ଓ ଲୁଗାପଟା ଧରି ଖରସ୍ରୋତା ନଦୀକୁ ଯାଇଥିବା ଜନୈକା ମହିଳାଙ୍କୁ କୁମ୍ଭୀର ଝାମ୍ପି ନେବା ଘଟଣା ନଦୀକୂଳବାସୀଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଛି । ପୁଲିସ, ଦମକଳ ବାହିନୀ ଏବଂ ବନ ବିଭାଗ ପକ୍ଷରୁ ଖୋଜାଖୋଜି କରାଯାଇଥିଲେ ମଧ୍ୟ ଖବର ଲେଖା ହେବା ପର୍ଯ୍ୟନ୍ତ ମହିଳାଙ୍କ ପତ୍ତା ମିଳିପାରିନି ।
ଖବର ମତେ ଆଜି ବରୀ ବ୍ଲକ ଅଧିନ ବୋଦୁଅ ପଞ୍ଚାୟତ କାନ୍ତିଆ ମହଲା ସାହିର ଶୁକଦେବ ମହଲାଙ୍କ ସ୍ତ୍ରୀ ସୌଦାମିନୀ (୫୩) ନଦୀକୁ ବାସନ ଓ ଲୁଗା ପଟା ନଦୀ ଛନ୍ଦାରେ ଧୋଉଥିବା ସମୟରେ ଖରସ୍ରୋତରେ ଛକି ରହିଥିବା କୁମ୍ଭୀର ତାଙ୍କୁ ନଦୀ ଗର୍ଭକୁ କାମୁଡି ଟାଣି ନେଇଥିଲା । ସ୍ଥାନୀୟ ଲୋକେ ଏହା ଦେଖି ଡାକ ପକାଇବା ପରେ ଗ୍ରାମବାସୀ ନଦୀକୂଳରେ ପହଁଚି ସୌଦାମିନୀଙ୍କୁ କୁମ୍ଭୀର ଗିଳିଧରି ପାଣି ଭିତରକୁ ନେଇଯାଉଥିବାର ଦେଖିବାକୁ ପାଇଥିଲେ । ଖବର ପାଇ ଘଟଣା ସ୍ଥଳରେ ବିଂଝାରପୁର ପୁଲିସ ଓ ଦମକଳ ବାହିନୀ ପହଁଚି ଖୋଜାଖୋଜି କରିଥିଲେ ହେଁ କିଛି ଟେର୍ ପାଇନଥିଲେ । ସନ୍ଧ୍ୟାରେ କଟକ ବନବିଭାଗର ସହକାରୀ ବନ ସଂରକ୍ଷକ ସନ୍ତୋଷ କୁମାର ପତି ଘଟଣାସ୍ଥଳରେ ପହଁଚି ସୌଦାମିନୀଙ୍କ ପରିବାର ନିକଟରେ ପହଁଚି ସମବେଦନା ଜଣାଇବା ସହିତ ଅନୁକମ୍ପା କାଗଜପତ୍ର ନେଇଥିଲେ ।ଖରସ୍ରୋତାରେ ଏବେ ବନ୍ୟା ପାଣି ଥିବା ହେତୁ ଅନେକ କୁମ୍ଭୀର ଦେଖା ଦେଇଛନ୍ତି । ବାରମ୍ବାର ଖରସ୍ରୋତାରେ ଏଭଳି କୁମ୍ଭୀର ଆତଙ୍କ ଦେଖାଦେଉଥିବା ବେଳେ ବନବିଭାଗ ପକ୍ଷରୁ କେବଳ ନଦୀରେ କୁମ୍ଭୀର ଅଛି କେହି ଯାଆନ୍ତୁ ନାହିଁର ଏକ ପୋଷ୍ଟର ଲଗାଇ ଚୁପ ବସିଯାଇଛି । ନଦୀ କୂଳିଆ ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି ।



