ସାଇବର ସୁରକ୍ଷା ଅଭିଯାନ ଶୁଭାରମ୍ଭ । ଲୋଭ,ଡ଼ର ଓ ଦାୟୀତ୍ବହୀନତା ଠାରୁ ଦୂରେଇ ରହିବାକୁ ପରାମର୍ଶ
ଢ଼େଙ୍କାନାଳ, ତା. ୧୮.୧୦.୨୦୨୫- ଆଜି ଠାରୁ ରାଜ୍ୟରେ ମାସ ବ୍ୟାପୀ ସାଇବର ସୁରକ୍ଷା ଅଭିଯାନର ଶୁଭାରମ୍ଭ ହୋଇଛି । ଏହି ଅବସରରେ ଆଜି ମଧ୍ୟାହ୍ନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚ଼ରଣ ମାଝୀ ସାଇବର ଠକେଇ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି। ଜନସାଧାରଣ ବିଶେଷ କରି ଯୁବପିଢୀ ଲୋଭ, ଡ଼ର ଓ ଦାୟୀତ୍ବହୀନତା ଠାରୁ ଦୂରେଇ ରହିଲେ, ଏହି ସାଇବର ଠକାମୀ ଠାରୁ ଦୂରେଇ ରହିପାରିବେ ବୋଲି ମତବ୍ୟକ୍ତ କରିଛନ୍ତି। ଆଜିର ଡିଜିଟାଲ ଯୁଗରେ ଦୈନନ୍ଦିନ ଇଣ୍ଟରନେଟ ବ୍ୟବହାର ସମୟରେ ସତର୍କ ଓ ସଚ଼େତନ ରୁହନ୍ତୁ, ସାବଧାନତା ଅବଲମ୍ବନ କରନ୍ତୁ ବୋଲି ପରାମର୍ଶ ଦେଇଥିଲେ। ଏହାଦ୍ୱାରା ଅର୍ଥନୈତିକ ଓ ଅନ୍ୟାନ୍ୟ ଠକେଇ ଠାରୁ ସୁରକ୍ଷିତ ରହିପାରିବେ ବୋଲି ସେ କହିଛନ୍ତି । ଅଜଣା ଓ ସନ୍ଦେହଯୁକ୍ତ ବ୍ୟକ୍ତିଙ୍କୁ ଓ.ଟି.ପି. ଏବଂ ନିଜର ବ୍ୟକ୍ତିଗତ ତଥ୍ଯ ପ୍ରଦାନ ନ କରିବାକୁ କହିଛନ୍ତି । ସାଇବର ସେଫ୍ ଓଡ଼ିଶା ଗଠନ ପାଇଁ ଓଡ଼ିଶା ପୋଲିସକୁ ସଶକ୍ତ ଓ ଆଧୁନିକିକରଣ କରାଯାଉଛି । କୌଣସି ପ୍ରକାରର ସାଇବର ଅପରାଧିଙ୍କ ଶିକାର ହେଲେ ୧୯୩୦ ନମ୍ବରରେ ପୋଲିସର ଦୃଷ୍ଟି ଆକର୍ଷଣ କରିବାକୁ କୁହାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଏହି ସାଇବର ସୁରକ୍ଷା ଅଭିଯାନର ଶୁଭାରମ୍ଭ କାର୍ଯ୍ୟକ୍ରମ ଆଭାଷି ମାଧ୍ୟମରେ ଜିଲ୍ଲା କାର୍ଯ୍ୟାଳୟ ସହଭାବନା ସଭାଗୃହଠାରେ ପ୍ରଦର୍ଶିତ ହୋଇଥିଲା । ସହଭାବନା ସଭାଗୃହ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୌର ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ରମେଶ ଚନ୍ଦ୍ର ସେଠୀ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) ଶ୍ରୀ ଲଳିତ ମୋହନ ବେହେରା, ବନଖଣ୍ଡ ଅଧିକାରୀ ଶ୍ରୀ ସୁମିତ କୁମାର କର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ସୂର୍ଯ୍ୟମଣି ପ୍ରଧାନ, ସଦର ତହସିଲଦାର ଶ୍ରୀ ସ୍ୱାଧିନ କୁମାର ବେହେରା, ପୋଲିସ ଅଧିକାରୀଗଣ, ଭାରତୀୟ ଜନସଂଚାର ସଂସ୍ଥାର ଛାତ୍ରଛାତ୍ରୀ, ଆଶାକର୍ମୀ ଓ ଗଣ ମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇଥିଲେ । ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ସାଇବର ଠକେଇ ଠାରୁ ଦୂରେଇ ରହିବା ପାଇଁ ସଚ଼େତନତା ମୂଳକ ଶପଥ ପାଠ କରାଇଥିଲେ । ସାଇବର ଠକେଇ ସଂପର୍କିତ ବିଭିନ୍ନ ଭିଡ଼ିଓ ପ୍ରଦର୍ଶନ କରାଯାଇଥିଲା ।




