ସ୍ୱର -ଓ -ସ୍ଵାକ୍ଷର, ଯାଜପୁରର ମାସିକ ସାହିତ୍ୟ ଆସର ଓ ଦିବଂଗତ କବିମାନଙ୍କୁ ଶାଶ୍ୱତ ଶ୍ରଦ୍ଧାଞ୍ଜଳି

ଯାଜପୁରର ବହୁ ପୁରାତନ ଓ ବହୁଚର୍ଚିତ ସାହିତ୍ୟ ଅନୁଷ୍ଠାନ ସ୍ୱର – ଓ – ସ୍ଵାକ୍ଷର ର ମାସିକ କବିତା ପାଠ ସାହିତ୍ୟ ଆସର ସହିତ ଓଡିଶାର ବିଶିଷ୍ଟ କବି ରାଜେନ୍ଦ୍ର କିଶୋର ପଣ୍ଡା ଓ କବି ଶଙ୍କର ପରିଡାଙ୍କ ଦେହାନ୍ତ ପାଇଁ ସେମାନଙ୍କୁ ଭବ୍ୟ ଶ୍ରଦ୍ଧାଞ୍ଜଳି ସହିତ ସ୍ମୃତି ସଭାର ଆୟୋଜନ କରାଯାଇଥିଲା। ଅନୁଷ୍ଠାନର ବରିଷ୍ଠ ସଭ୍ୟ ଅଧ୍ୟାପକ ଦାମୋଦର ବେହେରାଙ୍କ ବାସଭବନରେ ଆୟୋଜିତ ଉକ୍ତ ଆସରରେ ଅନୁଷ୍ଠାନର ସଭାପତି ଡାକ୍ତର ରା଼ଜ କିଶୋର ପଣ୍ଡା ଅଧ୍ୟକ୍ଷତା କରିବା ସହିତ ସମସ୍ତଙ୍କୁ ସ୍ୱାଗତ କରିଥିଲେ । କବି ରାଜେନ୍ଦ୍ର ପଣ୍ଡା ଓ କବି ଶଙ୍କର ପରିଡାଙ୍କ ସାହିତ୍ୟ କୃତି ଓ ଓଡ଼ିଆ ସାହିତ୍ୟକୁ ସେମାନଙ୍କ ଅବଦାନ ସମ୍ପର୍କରେ ଉପସ୍ଥିତ କବିମାନେ ଆଲୋଚନା କରିଥିଲେ । ବିଶିଷ୍ଟ କବି ଦାମୋଦର ବେହେରା, କବି ରାମ ଚନ୍ଦ୍ର ଦାଶ, କବି ବିଷ୍ଣୁ ଦଳେଇ ଓ କବି ଅନିଲ ମହାନ୍ତିଙ୍କ ସହିତ ଉପସ୍ଥିତ କବିମାନେ ସ୍ବର୍ଗତ କବିମାନଙ୍କ ସ୍ମୃତିଚାରଣ କରିଥିଲେ । କବିତା ପାଠ ଆସରରେ ଉପସ୍ଥିତ ସମସ୍ତ କବିମାନେ ନିଜ ନିଜର କବିତା ପାଠ କରିଥିଲେ। କବି ରାମଚନ୍ଦ୍ର ଦାଶ କବିତାଗୁଡିକ ସଂଯୋଜନା କରିଥିବା ସମୟରେ କବି ଅନିଲ ମହାନ୍ତି କବିତାଗୁଡିକର ସମୀକ୍ଷା କରିଥିଲେ । କବି କାମେଶ୍ୱର ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଉପସ୍ଥିତ ଅନ୍ୟ କବିମାନଙ୍କ ମଧ୍ୟରେ କବି ଯଯାତି ସାହୁ, କବି ବିଷ୍ଣୁ ଦଳାଇ , କବି ମନୋଜ କୁମାର ନାଥ, ବ୍ୟଙ୍ଗ କବି ଅଖିଳ ମୋହନ ଦାଶ, କବି ଗୋବିନ୍ଦ ଚନ୍ଦ୍ର ସ୍ୱାଇଁ, କବି ରଞ୍ଜନ ପାଣିଗ୍ରାହୀ ଓ ଅନ୍ୟମାନେ କବିତା ଆସରକୁ ସରସ ସୁନ୍ଦର କରିଥିଲେ।ଆୟୋଜକ ଦାମୋଦର ବେହେରା ଓ ତାଙ୍କ ପରିବାରବର୍ଗ ଉପସ୍ଥିତ କବିମାନଙ୍କୁ ବେଶ ଆପ୍ୟାୟିତ କରିଥିଲେ।



