ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ

ଅନୁଗୋଳ, ତା.୧୬.୧୧:- ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ୍ ଦିବସ ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ପାଳିତ ହୋଇଯାଇଛି । ‘ଭ୍ରମାତ୍ମକ ଖବର ପ୍ରସାରଣ ବୃଦ୍ଧି ପରିପ୍ରେକ୍ଷିରେ ଗଣମାଧ୍ୟମ ବିଶ୍ଵାସନୀୟତାର ସଂରକ୍ଷଣ’ ହେଉଛି ଚଳିତ ବର୍ଷର ଜାତୀୟ ପ୍ରେସ ଦିବସର ପ୍ରସଙ୍ଗ । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ, ଗଣମାଧ୍ୟମ ଗଣତନ୍ତ୍ରର ତନ୍ତ୍ରର ୪ର୍ଥ ସ୍ତମ୍ଭ ଏବଂ ଏହା କେବଳ ଖବର ପ୍ରକାଶ କରେ ନାହିଁ ବରଂ ଜନସାଧାରଣଙ୍କର ସ୍ବର । ଗଣମାଧ୍ୟମ ଅନେକ ଅନ୍ୟାୟ, ଦୁର୍ନିତୀ ଓ ଅବ୍ୟବସ୍ଥାକୁ ପ୍ରକାଶ କରି ଦେଶ ସମାଜକୁ ପଥ ପ୍ରଦର୍ଶନ କରିଛି । ସ୍ବାଧୀନ ଗଣମାଧ୍ୟମ ଦ୍ବାରା ଗଣତନ୍ତ୍ର ଦୃଢ ହୋଇଥାଏ ।

ମୁଖ୍ୟବକ୍ତା ଭାବେ ସରକାରୀ ଓକିଲ ଶ୍ରୀ ପରମାନନ୍ଦ ମିଶ୍ର, ଚଳିତ ବର୍ଷର ବାର୍ତ୍ତା ‘ଭ୍ରମାତ୍ମକ ଖବର ପ୍ରସାରଣ ବୃଦ୍ଧି ପରିପ୍ରେକ୍ଷୀରେ ଗଣମାଧ୍ୟମ ବିଶ୍ଵାସନୀୟତାର ସଂରକ୍ଷଣ’ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିବା ସହିତ ସତ୍ୟପର, ଦାୟିତ୍ବବାନ ଓ ନିର୍ଭରଯୋଗ୍ୟ ପ୍ରେସ୍ ସମାଜ ପାଇଁ ନିହାତି ଆବଶ୍ୟକ ବୋଲି କହିଥିଲେ । ଗଣମାଧ୍ୟମ ହେଉଛି ସୂଚନା ଓ ସଚେତନତାର ସବୁଠୁ ମହତ୍ବପୂର୍ଣ୍ଣ ସେତୁ । ନିର୍ଭିକ ସମ୍ବାଦ ହେଉଛି ସମାଜ ସଂଶୋଧନର ଆଧାର । ଗଣମାଧ୍ୟମ ସରକାର ଓ ଜନସାଧାରଣଙ୍କ ମଧ୍ୟରେ ସଂଯୋଗ ସେତୁ ସଦୃଶ କାର୍ଯ୍ୟ କରିବା ସହ ଏକ ସୁସ୍ଥ ଜନମତ ସୃଷ୍ଟିକରେ ବୋଲି ମଧ୍ୟ ସେ ମତ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଜୟଜିତ୍ ଧଳ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଓ ଉପଖଣ୍ଡ ସ୍ତରରୁ ଆସିଥିବା ସାମ୍ବାଦିକଙ୍କ ସମେତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟଳୟର କର୍ମଚାରୀ ମାନେ ଯୋଗ ଦେଇଥିଲେ ।




