
*ଜର୍ଜ ହାଇସ୍କୁଲ ବରଗଡ଼ରେ କ୍ୟାରିଅର ପରାମର୍ଶ ପାଇଁ ଦକ୍ଷତା ବୃଦ୍ଧି ଓ ସଚେତନତା କାର୍ଯ୍ୟକ୍ରମ*

ବରଗଡ଼:୧୭/୧୧:(ପବିତ୍ର ମେହେର)::ଜର୍ଜ ହାଇସ୍କୁଲ ବରଗଡ଼ରେ ଜିଲ୍ଲାସ୍ତରୀୟ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକଙ୍କ କ୍ୟାରିଅର ପରାମର୍ଶ ପାଇଁ ଦକ୍ଷତା ବୃଦ୍ଧି ନିମନ୍ତେ ଏକ ସଚେତନତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ବରିଷ୍ଠ ବ୍ଲକ ଶିକ୍ଷା ଅଧିକାରୀ ଡଃ ସୁରେନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସରୋଜ କୁମାର ଭୁଏ,ସମ୍ମାନିତ ଅତିଥି ଭାବରେ ଜର୍ଜ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଶାଶ୍ଵତୀ ଦାଶ,ବିଆରସି ସି ଦିଲ୍ଲୀପ କୁମାର ମେହେର ଯୋଗ ଦେଇଥିଲେ।ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ କ୍ୟାରିଅର ସମ୍ବନ୍ଧୀୟ ପରାମର୍ଶ ପ୍ରଦାନ କରିବା ପାଇଁ ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରର ପ୍ରଥମ ଦିବସରେ ଜିଲ୍ଲା ଶିକ୍ଷକ ଓ ଶିକ୍ଷା ପ୍ରତିଷ୍ଠାନ ବରଗଡ଼ର ବରିଷ୍ଠ ପ୍ରଶିକ୍ଷକ ଗଗନ ବେହେରା, ଜନତା ହାଇସ୍କୁଲ ଭୁକ୍ତାର ବିଜ୍ଞାନ ଶିକ୍ଷକ ସଞ୍ଜୟ ଖମାରୀ,ଜନତା ହାଇସ୍କୁଲ ଗୋଡଭଗାର ଶିକ୍ଷୟିତ୍ରୀ କଲ୍ୟାଣୀ ସାମନ୍ତ ଏବଂ ଅତାବିରା ହାଇସ୍କୁଲର ଶିକ୍ଷକ ଆଶୁତୋଷ ବିଶ୍ୱାଳ ଯୋଗ ଦେଇଥିଲେ।ପ୍ରଶିକ୍ଷକ ଗଗନ ବେହେରା ଛାତ୍ରଛାତ୍ରୀମାନଙ୍କର କ୍ୟାରିୟର ପରାମର୍ଶର ଆବଶ୍ୟକତା ବିଷୟରେ ଆଲୋକପାତ କରିଥିବା ବେଳେ ପ୍ରଶିକ୍ଷକ ସଞ୍ଜୟ ଖମାରୀ ଧନ୍ଦାମୂଳକ ଶିକ୍ଷାର ଗୁରୁତ୍ବ ସହ କ୍ୟାରିୟର ସମ୍ପର୍କିତ ସୂଚନା,କ୍ୟାରିୟର ପୋର୍ଟାଲର ବ୍ୟବହାର,କ୍ୟାରିୟର ଯୋଜନା,କ୍ୟାରିୟର ଗାଇଡେନସ ଓ କାଉନସେଲିଂର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।ଶିକ୍ଷୟିତ୍ରୀ କଲ୍ୟାଣୀ ସାମନ୍ତ ଏବଂ ଶିକ୍ଷକ ଆଶୁତୋଷ ବିଶ୍ୱାଳ ଶିକ୍ଷାର୍ଥୀମାନଙ୍କର ଆତ୍ମ ବିଶ୍ବାସ ଓ ବ୍ୟକ୍ତିତ୍ଵର ବିକାଶ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।ଏହି ପ୍ରଶିକ୍ଷଣ ଶିବିରରେ ବରଗଡ଼ ଏବଂ ବରପାଲି ବ୍ଲକର ସମସ୍ତ ହାଇସ୍କୁଲ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରି ଆଲୋଚ୍ୟ ବିଷୟବସ୍ତୁକୁ ଦଳଗତ କାର୍ଯ୍ୟକଳାପ ମାଧ୍ୟମରେ ପ୍ରଦର୍ଶନ କରିଥିଲେ।




