ଭଟଲି ବ୍ଲକରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର
ଭଟଲି(ଅଭିମନ୍ୟୁ ପଧାନ): ଭଟଲି ବ୍ଲକ ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ସମିତି ଅଧ୍ୟକ୍ଷ ନିତ୍ୟାନନ୍ଦ ପ୍ରଧାନ ମୁଖ୍ୟ ଅତିଥି , ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୋଦ ଚନ୍ଦ୍ର ମେହେର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ବିଧାୟକ ପ୍ରତିନିଧି ଅକ୍ଷୟ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଭୀମ ଭୋଇଙ୍କ ପ୍ରତିଛବି ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ କରି ଶିବିରକୁ ଶୁଭାରମ୍ଭ କରିଥିଲେ। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ୱାରା ଏହି ଶିବିର ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଆଶିଷ ନାଏକ ଏବଂ ନମିତା ପରିଡ଼ାଙ୍କ ତତତ୍ଵାବଧାନରେ ଆୟୋଜିତ ହୋଇଥିଲା। ଶିବିରରେ ଅସ୍ଥିଶୈଲ୍ୟ ବିଭାଗରୁ ଡ଼ା ସଞ୍ଜୟ କୁମାର ନାଏକ, କାନ, ନାକ ଏବଂ ଗଲାର ଚିକିତ୍ସକ ଡ଼ା ପ୍ରଭାତ କୁମାର ରାଉଳ, ଚକ୍ଷୁ ବିଶେଷଜ୍ଞ ଡ଼ା ରଶ୍ମିରେଖା ଦାଶ, ଭେଷଜ ବିଶେଷଜ୍ଞ ଡ଼ା ସୁବଳ ଚନ୍ଦ୍ର ମିଶ୍ର ଯୋଗଦେଇ ଭିନ୍ନକ୍ଷମଙ୍କ ପରୀକ୍ଷା କରିଥିଲେ। ସହକାରୀ ଭାବରେ ନେପାଳ ଦୁଆନ, ସନାତନ ସାହୁ, ସରୋଜ କୁମାର ସେଠ, ଗୀତା ବାରିକ ପ୍ରମୁଖ ସହଯୋଗ କରିଥିଲେ। ଏହି ଶିବିରରେ ଭଟଲି ବ୍ଲକର ସମୁଦାୟ ୨୧୬ ଜଣ ଭିନ୍ନକ୍ଷମଙ୍କୁ ଅଦ୍ୱିତୀୟ ଭିନ୍ନକ୍ଷମ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା। ଅସ୍ଥିଶଲ୍ୟ ବିଭାଗରେ ୪୫, ଚକ୍ଷୁ ବିଭାଗରେ ୨୬,କାନ, ନାକ ଏବଂ ଗଲାର ୪୮, ମାନସିକ ରୋଗ ୧୦, ଭେଷଜ ବିଭାଗରେ ୧୫ ଜଣଙ୍କୁ ପରୀକ୍ଷା କରାଯାଇଥିଲା। ସେଥି ମଧ୍ୟରୁ ୧୮ ଜଣଙ୍କୁ ଡିଆରଆଇ ସହାୟତା, ୧୫ ଜଣଙ୍କୁ ବସ ପାସ, ୨୨ ଜଣଙ୍କ କୃତ୍ରିମ ଅଙ୍ଗ ପ୍ରତ୍ୟଙ୍ଗ ପ୍ରତିରୋପଣ ପାଇଁ ଚିହ୍ନଟ ଏବଂ ୧୭ ଜଣଙ୍କୁ ସହାୟତା ଓ ଉପକରଣ ବଣ୍ଟନ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜ୍ୟୋସ୍ନାରାଣୀ ଗଡ଼ତିଆଙ୍କ ସମେତ ବ୍ଲକର କର୍ମଚାରୀ ଏବଂ ଭଟଲି ବ୍ଲକ ଭୀମ ଭୋଇ ଭିନ୍ନକ୍ଷମ ସଂଗଠନ ସଦସ୍ୟ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।



