
ବଅଁରପାଳ,୩o.୧୧- ବଅଁରପାଳ ବ୍ଲକ ତୁଳସୀପାଳ ଓ ଲଙ୍ଗୁଳିଆବେଡା ଗ୍ରାମ ତାସିରୀ ମଠ ପରିସରରେ ନିର୍ମାଣଧୀନ ନୂତନ ରାଧାକୃଷ୍ଣ ମନ୍ଦିରର ରତ୍ନମୁଦ ଉତ୍ସବ ଓ ବଜ୍ରବାରକ ଇନ୍ଦ୍ର ଇନ୍ଦ୍ରାଣୀ ପୂଜା ସମାରୋହରେ ପାଳିତ ହୋଇଯାଇଛି l ମନ୍ଦିର ପରିଚାଳନା କମିଟି ସଭାପତି କମଳକାନ୍ତ ବିଶ୍ୱାଳ ଓ ଧର୍ମପତ୍ନୀ ଅନୀତା ବିଶ୍ୱାଳ କର୍ତ୍ତା ଓ କର୍ତ୍ରୀ ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ l ପଣ୍ଡିତ ପୂର୍ଣଚନ୍ଦ୍ର ଶତପଥୀ ଙ୍କ ତତ୍ୱାବଧାନରେ ପଣ୍ଡିତ ଅଭିମନ୍ୟୁ ଶତପଥୀ, ସୁବାଷ ନନ୍ଦ, ଚନ୍ଦ୍ରଶେଖର ମହାପାତ୍ର ଓ ମୀନକେତନ ମିଶ୍ର ପ୍ରମୁଖ ରୀତିନୀତି ଅନୁଯାୟୀ ପୂଜାପାଠ କରିବା ସହ ହୋମଯଜ୍ଞ ଓ ରତ୍ନମୁଦ ଆଦି କର୍ମମାନ କରିଥିଲେ l ଆଖପାଖ ଅଞ୍ଚଳର ସଂକୀର୍ତ୍ତନ ମଣ୍ଡଳୀ ନାମ ସଂକୀର୍ତ୍ତନ କରିଥିଲେ ଓ ଶ୍ରଦ୍ଧାଳୁ ଭକ୍ତମନେ ରତ୍ନମୁଦ ଗହ୍ୱରରେ ବିଭିନ୍ନ ପ୍ରକାର ଶସ୍ୟ, ଅର୍ଥ, ଅଷ୍ଟଧାତୁ ସୁନା ଓ ରୂପା ଆଦି ପ୍ରଦାନ କରିଥିଲେ l ଉପସ୍ଥିତ ଶ୍ରଦ୍ଧାଳୁ ଭକ୍ତଙ୍କ ହରିବୋଲ ହୁଳହୁଳି ଓ ନାମ ସଂକୀର୍ତନ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା l ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ପୂର୍ବତନ ବିଧାୟକ ତଥା ଉପବାଚସ୍ପତି ରଜନୀକାନ୍ତ ସିଂହ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଅମ୍ବିକା ପ୍ରସାଦ ଭଟ୍ଟ, ବଅଁରପାଳ ବ୍ଲକ ଅଧ୍ୟକ୍ଷ ବିଜୟ କୁମାର ନାଥ, ଯୁବ ବିଜେଡି ନେତା ଅରୁଣାଭ ସିଂହ, ଜିଲ୍ଲା ପରିଷଦ ସଭ୍ୟ ମୀରା ଗଡ଼ନାୟକ, ଗୋପାଳ ଚନ୍ଦ୍ର ନାଏକ ପ୍ରମୁଖ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉତ୍ସବରେ ଯୋଗ ଦେଇଥିଲେ l କମିଟିର କର୍ମକର୍ତ୍ତା, ସମସ୍ତ ସଦସ୍ୟ, ଉଭୟ ତୁଳସୀପାଳ ଓ ଲଙ୍ଗୁଳିଆବେଡା ଗ୍ରାମର ଗ୍ରାମବାସୀ ଉତ୍ସବରେ ସହଯୋଗ କରିଥିଲେ l




