ରାଜ୍ୟରେ ସାଇବର ଅପରାଧ ରୋକିବାକୁ ସରକାରୀ ସ୍ତରରେ ଯାରି ପ୍ରୟାସକୁ ଆହୁରି ବ୍ୟାପକ କରାଯିବ । ଦୈନିକ ଆର୍ଥିକ ଏବଂ ମହିଳା ଓ ଶିଶୁମାନଙ୍କ ଉପରେ ଯୌନଜନିତ ସାଇବର ଅପରାଧ ବୃଦ୍ଧି ପାଉଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଏଥି ନିମନ୍ତେ ଏକ ବୈଠକ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ତୃଣମୂଳ ସ୍ତରରେ ସାଇବର ଅପରାଧ ବିରୋଧି ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିବା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି । ବିଶେଷକରି ବୃଦ୍ଧବୃଦ୍ଧା, ଛାତ୍ରଛାତ୍ରୀ, ଆଶା ଓ ଅଙ୍ଗନଓ୍ୱାଡି କର୍ମୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କ ସମେତ ଉକ୍ତ ଅଭିଯାନରେ ସବୁ ବର୍ଗକୁ ସାମିଲ କରିବାକୁ ଶ୍ରୀ ମହାପାତ୍ର ପରାମର୍ଶ ଦେଇଛନ୍ତି । ଏଥି ନିମନ୍ତେ ୩୪ଟି ସଚେତନତା ରଥ ରାଜ୍ୟର ପ୍ରତ୍ୟେକ ଥାନାକୁ ଗସ୍ତ କରି ଭିଡ଼ିଓ ଅଡ଼ିଓ ମାଧ୍ୟମରେ ସଚେତନତା ବାର୍ତ୍ତା ପ୍ରଦାନ କରିବ । ସ୍କୁଲ ଓ ଅଙ୍ଗନଓ୍ୱାଡି କେନ୍ଦ୍ରର କାନ୍ଥରେ ପେଣ୍ଟିଂ ମାଧ୍ୟମରେ ସଚେତନତା ସୃଷ୍ଟି କରାଯିବ । ଏପରିକି ବିଦ୍ୟାଳୟ ସ୍ତରରେ ଅଭିଭାବକ-ଶିକ୍ଷକ ମାନଙ୍କ ବୈଠକରେ ସାଇବର କ୍ରାଇମ ପ୍ରତି ସଚେତନ ରହିବାକୁ ମଧ୍ୟ ଆଲୋଚନା ହେବ । ଅର୍ଥ ନେଣଦେଣ ପୂର୍ବରୁ ସତ୍ୟତା ଯାଞ୍ଚ କରିବା, ଅଜଣା ବ୍ୟକ୍ତିଙ୍କ ସହ ଅନାବଶ୍ୟକ ବନ୍ଧୁତା ରକ୍ଷା ନକରିବା, ଅଜଣା ଏସ୍.ଏମ୍.ଏସ୍, ଲିଙ୍କ କିମ୍ବା ସନ୍ଦେହାତ୍ମକ ଆପ୍ ଡାଉନଲୋଡ ନକରିବା ଉପରେ ମୁଖ୍ୟତଃ ସଚେତନ ସୃଷ୍ଟି କରିବା ନେଇ ବୈଠକରେ ଆଲୋଚନା ହୋଇଥିଲା । ଉଭୟ ଅନଲାଇନ ଏବଂ ଅଫଲାଇନ ମାଧ୍ୟମରେ ମଧ୍ୟ ଅଭିଯାନ ଯାରି ରହିବ । ବିଭିନ୍ନ ସାମାଜିକ ଗଣମାଧ୍ୟମରେ ମଧ୍ୟ ନିୟମିତ ଭାବେ ସାଇବର ଅପରାଧ ନିୟନ୍ତ୍ରଣ ଜନିତ ବାର୍ତ୍ତା ପ୍ରଦାନ କରାଯିବ । ଏଥି ନିମନ୍ତେ ବିଭିନ୍ନ ଆଲୋଚନା ଚକ୍ରର ମଧ୍ୟ ଆୟୋଜନ କରାଯିବ । ଏପରିକି “ସଚେତନ ରହିବା ଏବଂ ସୁରକ୍ଷିତ ରହିବା-ସାଇବର ଅପରାଧ ମୁକ୍ତ ଓଡ଼ିଶା” ଉପରେ ରୋଡ ରନ, ସାଇକ୍ଲୋଥନ, ଶୋଭାଯାତ୍ରା, ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ବକୃତା, ପ୍ରବନ୍ଧ ଓ କୁଇଜ ପ୍ରତି ଯୋଗିତା ମଧ୍ୟ କରାଯିବ । ଏଭଳି ଅଭିଯାନ ଆରମ୍ଭ କରିବାରେ ଓଡ଼ିଶା ହେଉଛି ଦେଶର ପ୍ରଥମ ରାଜ୍ୟ । ଦେଶରେ ୨୦୨୧ ମସିହାରେ ୫୨ ହଜାର ୯୭୫ ମାମଲା ପଞ୍ଜିକୃତ ହୋଇଥିଲା ଯାହା ଏହାର ପୂର୍ବ ବର୍ଷ ଅପେକ୍ଷା ସାଇବର ଅପରାଧଜନିତ ମାମଲାରେ ୫.୯ ପ୍ରତିଶତ ବୃଦ୍ଧି ପାଇଥିଲା । ସେହିଭଳି ଓଡ଼ିଶାରେ ୨୦୧୯ ମସିହାରେ ୧୪୮୫ଟି, ୨୦୨୦ ରେ ୧୯୩୧ ଏବଂ ୨୦୨୧ ରେ ୨୦୩୭ଟି ମାମଲା ରୁଜୁ ହୋଇଛି । ଅନ୍ୟପକ୍ଷରେ ସାଇବର ହେଲ୍ପ ଡେସ୍କ ମାଧ୍ୟମରେ ରାଜ୍ୟରେ ୨୦୨୧ ମସିହାରେ ୩୪୦୨ଟି ପିଟିସନ ଗ୍ରହଣ କରାଯାଇଥିବା ବେଳେ ୨୦୨୨ ମସିହାରେ ୭୭୦୦ଟି ପିଟିସନ ଗ୍ରହଣ କରାଯାଇଛି । କୌଣସି ବ୍ୟକ୍ତି ସାଇବର ଜନିତ ଅପରାଧ ସଂପର୍କରେ ଅଭିଯୋଗ କରିବାକୁ ହେଲେ ୧୯୩୦ ସହ ଯୋଗାଯୋଗ କରି ଅଭିଯୋଗ କରିପାରିବେ ।ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଂଜନ କୁମାର ସିଂ, ଇଲୋକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ପ୍ରମୁଖ ଶାସନ ସଚିବ ମନୋଜ କୁମାର ମିଶ୍ର, ଗୃହ ବିଭାଗ ସ୍ୱତନ୍ତ୍ର ସଚିବ ଡ଼ଃ ସନ୍ତୋଷ ବାଲା, ଡିଜିପି ସୁନିଲ ବଂଶଲ, ମିଶନ ଶକ୍ତି ବିଭାଗ ଶାସନ ସଚିବ ସୁଜାତା କାର୍ତ୍ତିକେୟନ, ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଅଶ୍ୱଥି ଏସ୍, ମହିଳା ଓ ଶିଶୁ ବିକାଶ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରଓ୍ୱାଲ, ସୂଚନା ଓ ଲୋକ ସଂପର୍କ ବିଭାଗ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ, ଆଇଜି ଅଫ ପୋଲିସ ସି.ଆଇ.ଡି. ସି.ବି ସିଫିନ୍ ଅହମ୍ମଦ କେ. ପ୍ରମୁଖ ଉପସ୍ଥିତ ଥିଲେ ।
Andhra Pradesh
Arunachal Pradesh
Assam
Bihar
Chhattisgarh
Crime
District
Education
International
Latest News
National
State
States
Telangana
बिहार
ଅନୁଗୋଳ
ଅନୁଗୋଳ
କଟକ
କଳାହାଣ୍ଡି
କେନ୍ଦୁଝର
କେନ୍ଦ୍ରାପଡ଼ା
ଖୋର୍ଦ୍ଧା
ଗଜପତି
ଗଞ୍ଜାମ
ଜଗତସିଂହପୁର
ଢେଙ୍କାନାଳ
ନୂଆପଡା
ପୁରୀ
ବରଗଡ଼
ବାଲେଶ୍ଵର
ବୌଦ୍ଧ
ବ୍ରହ୍ମପୁର
ଭୁବନେଶ୍ବର
ଯାଜପୁର
ସୁନ୍ଦରଗଡ଼
ସୁବର୍ଣ୍ଣପୁର
ସୋନପୁର
ରାଜ୍ୟରେ ସାଇବର ଅପରାଧ ରୋକିବାକୁ ସରକାରୀ ସ୍ତରରେ ପ୍ରୟାସ
