Spread the love

ଡସେଲଡର୍ଫ, ୨୨ା୮ଭାରତର ଜୁନିୟର ହକି ଦଳ ଏଠାରେ ଚାଲିଥିବା ଚତୁଃରାଷ୍ଟ୍ରୀୟ ଜୁନିୟର ହକି ଟୁର୍ନାମେଣ୍ଟରେ ଇଂଲଣ୍ଡକୁ ୪-୦ ଗୋଲ୍‌ରେ ହରାଇ ଦେଇଛି। ଭାରତ ତରଫରୁ ରାଜିନ୍ଦର ସିଂ (୧୩ତମ), ଅମିର ଅଲି (୩୩ତମ), ଅମନଦୀପ ଲାକ୍ରା (୪୧ତମ) ଓ ଅରିଜିତ୍‌ ସିଂ ହୁଣ୍ଡାଲ (୫୮ତମ) ପ୍ରମୁଖ ଗୋଲ୍‌ ସ୍କୋର କରିଥିଲେ। ମ୍ୟାଚ୍‌ରେ ଭାରତ ସତର୍କତାର ସହ ଆରମ୍ଭ କରିଥିଲା।

ରାଜିନ୍ଦର ଏକ ପେନାଲ୍ଟିକୁ ଗୋଲ୍‌ରେ ପରିଣତ କରିବା ପରେ ଭାରତ ୧-୦ ଅଗ୍ରଣୀ ଲାଭ କରିଥିଲା। ଗୋଲ୍‌ ପରିଶୋଧ କରିବା ଲାଗି ଇଂଲଣ୍ଡ ଦଳ ଦ୍ୱିତୀୟ କ୍ୱାର୍ଟରରେ ଆକ୍ରମଣାତ୍ମକ ଖେଳିଥିଲା, ମାତ୍ର ସଫଳ ହୋଇ ନ ଥିଲା। ଫଳରେ ପ୍ରଥମାର୍ଦ୍ଧ ସୁଦ୍ଧା ଭାରତ ୧-୦ରେ ଆଗୁଆ ରହିଥିଲା। ଦ୍ୱିତୀୟାର୍ଦ୍ଧ ଖେଳ ଆରମ୍ଭର ଅଳ୍ପ ସମୟ ମଧ୍ୟରେ ଅମିର ଅଲି ଏକ ଫିଲ୍ଡ ଗୋଲ୍‌ ସ୍କୋର କରି ଇଂଲଣ୍ଡ ଉପରେ ଅଧିକ ଚାପ ସୃଷ୍ଟି କରିଥିଲେ।

୨-୦ରେ ଅଗ୍ରଣୀ ପରେ ଭାରତ ଆଧିପତ୍ୟ ବିସ୍ତାର କରି ଖେଳିଥିଲା। ତୃତୀୟ କ୍ୱାର୍ଟର ଶେଷଭାଗରେ ଅମନଦୀପ ଏକ ପେନାଲ୍ଟି କର୍ନରକୁ ଗୋଲ୍‌ରେ ପରିଣତ କରି ଅଗ୍ରଣୀ ବ୍ୟବଧାନକୁ ବୃଦ୍ଧି କରିଥିଲେ। ଖେଳ ଶେଷହେବାକୁ ଆଉ ୧୫ ମିନିଟ୍‌ ବାକି ରହିଥିବା ବେଳେ ଇଂଲଣ୍ଡ ଗୋଲ୍‌ ସ୍କୋର କରିବା ଲାଗି ଆପ୍ରାଣ ଉଦ୍ୟମ କରିଥିଲା। ଭାରତର ଦୃଢ଼ ପ୍ରତିରୋଧ ଯୋଗୁ ଦଳ ଅସଫଳ ରହିଥିଲା। ଖେଳର ଅନ୍ତିମ କ୍ଷଣରେ ଅରାଇଜିତ୍‌ ଆଉ ଏକ ଗୋଲ୍‌ ସ୍କୋର କରିବାରୁ ଭାରତ ୪-୦ରେ ବିଜୟ ଲାଭ କରିଥିଲା।

ସୋର୍ସ news

Leave a Reply

Your email address will not be published. Required fields are marked *